Wednesday, 28 February 2018

ODIA METHOD

 ଓଡ଼ିଆ ଶିକ୍ଷାଦାନ -ଶିକ୍ଷଣ ପଦ୍ଧତି
METHODS OF TEACHING LEARNING

     ବିଦ୍ୟାଳୟରେ ଶିକ୍ଷକମାନେ ଶିକ୍ଷାଦାନରେ ସଫଳତା ପାଇଁ ବିଭିନ୍ନ ଶିକ୍ଷାଦାନ-ଶିକ୍ଷଣ ପଦ୍ଧତି ଅବଲମ୍ବନ କରିଥାନ୍ତି କେତେକ ଶିକ୍ଷକ ନିଜର ସାମର୍ଥ୍ୟର ଅଭାବରୁ ଶିକ୍ଷାଦାନକୁ ନିରସ ଓ ଅସଫଳ କରିଥାନ୍ତି ଫଳରେ ସେମାନେ ଶିକ୍ଷଣ ଲକ୍ଷ୍ୟ ହାସଲ କରିପାରି ନଥାନ୍ତି  ଶିକ୍ଷାର୍ଥୀମାନଂକର ବୟସ, ସାମର୍ଥ୍ୟ, ଆଗ୍ରହ, ରୁଚି, ପୂର୍ବଜ୍ଞାନ ଏବଂ ମନସ୍ତାତ୍ତ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକ ଶିକ୍ଷାଦାନ ଓ ଶିକ୍ଷଣର ଶୈଳୀ ସ୍ଥିରକରିବା ଆବଶ୍ୟକ  ଗୋଟିଏ ପ୍ରକାର ଶିକ୍ଷଣ କାର୍ଯ୍ୟ ସମସ୍ତ ବିଷୟ ଓ ପ୍ରସଂଗ ଉପରେ ସଫଳତା ଆଣିପାରିନଥାଏ ତେଣୁ ଆବଶ୍ୟକତା ଅନୁଯାୟୀ ଏହାର ପରିବର୍ତ୍ତନ କରାଯିବା ଆବଶ୍ୟକ  ଜଣେ ଆଦର୍ଶ ଶିକ୍ଷକ ନିଜର ବ୍ୟକ୍ତିଗତ ଚରିତ୍ର, ବିଷୟଗତ ଜ୍ଞାନ ଓ ତଥ୍ୟ ସଂଚାର କୌଶଳ ପାଇଁ ଅନ୍ୟ ମାନଂକ ଠାରୁ ଭିନ୍ନ ଅଟନ୍ତି  କଥାରେ ଅଛି –
-  A poor teacher tells.
- An average teacher explains.
- A good teacher demonstrates.
- A great teacher inspires.
     ସାଧାରଣତଃ ବିଦ୍ୟାଳୟରେ ମାତୃଭାଷାରେ ଗଦ୍ୟ, ପଦ୍ୟ ଓ ଏକାଂକିକା ସହିତ ଅତିରିକ୍ତ ସାହିତ୍ୟର ମଧ୍ୟ ଶିକ୍ଷାଦାନ-ଶିକ୍ଷଣ କାର୍ଯ୍ୟ କରାଯାଇଥାଏ  ଏହି ସମସ୍ତ ଶିକ୍ଷାଦାନ-ଶିକ୍ଷଣରେ ତିନୋଟି ସୋପାନ ଯଥା – ଉପକ୍ରମ, ଉପସ୍ଥାପନ ଓ ମୂଲ୍ୟାୟନର ଅନୁସରଣ କରାଯାଇ ଥାଏ  କିନ୍ତୁ ଶିକ୍ଷାଦାନର ଉଦ୍ଦେଶ୍ୟ ଦୃଷ୍ଟିରୁ ଅଳ୍ପ କେତେକ କ୍ଷେତ୍ରରେ ପ୍ରଣାଳୀଗତ ପାର୍ଥକ୍ୟ ଦେଖାଯାଏ 
......................................................................

ଗଦ୍ୟ ଶିକ୍ଷାଦାନ-ଶିକ୍ଷଣ
  ମାତୃଭାଷାରେ ଗଦ୍ୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ଗଦ୍ୟ ଆମ ଚିନ୍ତାଶକ୍ତି ଓ ଯୁକ୍ତିଶକ୍ତିକୁ ଉନ୍ନତ କରେ  ଭାଷା ଜ୍ଞାନକୁ ସମୃଦ୍ଧ କରେ  ସମସ୍ତ ମାନବିକ ମୂଲ୍ୟବୋଧର ବିକାଶରେ ସାହାଯ୍ୟ କରିଥାଏ  ଏହା ବ୍ୟକ୍ତିର ବ୍ୟକ୍ତିତ୍ବ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  ବିଦ୍ୟାଳୟରେ ଭାଷାର ଗଦ୍ୟ ଶିକ୍ଷାଦାନ-ଶିକ୍ଷଣର ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଶିକ୍ଷାଦାନ-ଶିକ୍ଷଣ ପ୍ରଣାଳୀ ସ୍ଥିରକରିବା ଆବଶ୍ୟକ 
ଗଦ୍ୟ ଶିକ୍ଷାଦାନ – ଶିକ୍ଷଣର ଉଦ୍ଦେଶ୍ୟ :-
·        ଶିକ୍ଷାଦାନ ଶେଷରେ ଶିକ୍ଷାର୍ଥୀମାନେ ବିଭିନ୍ନ ନୂତନ ଓ କ୍ଲିଷ୍ଟ ଶବ୍ଦର ଅର୍ଥ ଜାଣିବେ ଓ ସେଗୁଡ଼ିକୁ ଭାଷାରେ ବ୍ୟବହାର କରିପାରିବେ
·         ଶୁଣିବା, କହିବା, ପଢ଼ିବା ଓ ଲେଖିବା ଦକ୍ଷତାର ଅଭିବୃଦ୍ଧି ସାଧନ ହେବ
·        ଭାଷାର ପ୍ରୟୋଗବିଧି ସମ୍ପର୍କରେ ଧାରଣା ପାଇବେ
·        ନୂତନ ବିଷୟରେ ଜ୍ଞାନ ଅର୍ଜନ କରିବେ
·         ଚିନ୍ତାଶକ୍ତି, ଯୁକ୍ତିଶକ୍ତି ଓ କଲ୍ପନାଶକ୍ତିର ଅଭିବୃଦ୍ଧି ସାଧନ ହେବ
·         ଲେଖକ, ପ୍ରାବନ୍ଧିକଙ୍କ ସମ୍ପର୍କରେ ଅଧିକ ଜାଣିବେ ଏବଂ ସେମାନଂକର ରଚନାଶୈଳୀ ସହିତ ପରିଚିତ ହେବେ
·        ପଢୁଥିବା ପାଠକୁ ଆଧାରକରି ତଥ୍ୟ ଆହରଣ ଓ ଆନନ୍ଦ ଲାଭ କରିବେ
·        ବ୍ୟାକରଣ ଜ୍ଞାନର ଅଭିବୃଦ୍ଧିସାଧନ ହେବ
·        ବ୍ୟାପକ ପଠନ ପାଇଁ ଆଗ୍ରହ ସୃଷ୍ଟି ହେବ
·        ସର୍ଜନ ଶକ୍ତିର ବିକାଶ ସାଧିତ ହେବ
·        ସ୍ବଦେଶ ପ୍ରିତି, ମାନବିକ ମୂଲ୍ୟବୋଧର ସମ୍ପର୍କରେ ସଚେତନତା ସୃଷ୍ଟିହେବ

   ଗଦ୍ୟ ଶିକ୍ଷାଦାନ-ଶିକ୍ଷଣ ପାଇଁ ମୁଖ୍ୟତଃ ତିନିଗୋଟି ସୋପାନ ଅନୁକରଣ କରିବାକୁ ହୁଏ ଯଥା:- କ-ଉପକ୍ରମ, ଖ- ଉପସ୍ଥାପନ, ଗ- ମୂଲ୍ୟାୟନ 
- ଉପକ୍ରମ- ଛାତ୍ରଛାତ୍ରୀଙ୍କ ମନରେ ନୂତନ ପାଠ ପ୍ରତି ଆଗ୍ରହ ସୃଷ୍ଟିକରି ପ୍ରସଂଗ ବା ବିଷୟରେ ପ୍ରବେଶ କରିବା ଏହି ସୋପାନର ଉଦ୍ଦେଶ୍ୟ  ବାସ୍ତବ ପଦାର୍ଥ, ମଡେଲ, ଚିତ୍ର, ଗୀତ, ଗଳ୍ପ ତଥା ବିଭିନ୍ନ ପ୍ରଶ୍ନର ସାହାଯ୍ୟରେ ଏହି କାର୍ଯ୍ୟ ହୋଇଥାଏ  ଶେଷରେ ଶିକ୍ଷକ ଉଦ୍ଦେଶ୍ୟ ଜ୍ଞାପନ କରି କଳାପଟାରେ ପ୍ରସଂଗ ସ୍ଥାନ ପୂରଣ କରନ୍ତି                                    
-ଉପସ୍ଥାପନା - ଏହି ସୋପାନରେ ପ୍ରଥମେ ଶିକ୍ଷକ  ଲେଖକ/ପ୍ରାବନ୍ଧିକଙ୍କ ସମ୍ପର୍କରେ ସୂଚନା ଦେଇଥାନ୍ତି ଓ ବିଷୟର ପୃଷ୍ଠଭୂମି ଓ ସଂକ୍ଷିପ୍ତ ସାରାଂଶ ପ୍ରଦାନ କରିଥାନ୍ତି 
- ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ- ଶିକ୍ଷକ ଶ୍ରେଣୀରେ ପ୍ରସଂଗଟିକୁ ଉଚ୍ଚ ସ୍ବରରେ ପାଠ କରନ୍ତି ପଠନ ସମୟରେ ସ୍ପଷ୍ଟତା, ଶୁଦ୍ଧତା ଏବଂ ବିରାମ ଚିହ୍ନ ପ୍ରତି ଦୃଷ୍ଟି ଦେଇଥାନ୍ତି  ଏହି ପଠନ ଛାତ୍ରଛାତ୍ରୀଙ୍କ ପାଇଁ ଯେପରି ଆଦର୍ଶ ଓ ଅନୁକରଣୀୟ ହେବ ସେଥିପାଇଁ ଦୃଷ୍ଟି ଦେଇଥାନ୍ତି 
- ଶିକ୍ଷାର୍ଥୀଙ୍କ ସରବ ପଠନ- ଶିକ୍ଷକଙ୍କ ଆଦର୍ଶ ଉଚ୍ଚ ପଠନ ପରେ ଶିକ୍ଷକ ଶ୍ରେଣୀର କେତେକ ଶିକ୍ଷାର୍ଥୀଙ୍କୁ ପ୍ରସଂଗର କୌଣସି ଅଂଶ ବଡ଼ ପାଟିରେ ପଢ଼ିବା ପାଇଁ କହିଥାନ୍ତି  ଶିକ୍ଷାର୍ଥୀ ମାନଂକର ତ୍ରୁଟିକୁ ଅନ୍ୟ ପିଲାଂକଦ୍ବାରା  ସଂଶୋଧନ କରନ୍ତି  ଏହି ସୋପାନରେ ଦୁର୍ବଳ ପିଲାଂକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ  ଆବଶ୍ୟକତା ଅନୁସାରେ ପିଲାଂକୁ ବିଭିନ୍ନ ଦଳରେ ବିଭକ୍ତ କରି ଉଚ୍ଚ ପଠନ ପ୍ରତିଯୋଗୀତା କରାଯାଇପାରେ 
- ଶବ୍ଦାର୍ଥ ବୋଧ ଓ ଶବ୍ଦାନୁଶୀଳନ- ପ୍ରସଂଗରେ ଥିବା କଠିନ ଶବ୍ଦକୁ ଛାତ୍ରଛାତ୍ରୀମାନେ ଚିହ୍ନଟ କରନ୍ତି ଓ ଶିକ୍ଷକ ଏଗୁଡ଼ିକୁ କଳାପଟାରେ ଲେଖିଥାନ୍ତି  ଏହି ଶବ୍ଦଗୁଡ଼ିକର ଅର୍ଥ ବୁଝାଇବା ପାଇଁ ଶିକ୍ଷକ ପ୍ରକୃତ ବସ୍ତୁ, ଚିତ୍ର, ନମୁନା, ରେଖାଚିତ୍ର, ଗଳ୍ପ କଥନ, ଉଦାହରଣ, ବିପରୀତାର୍ଥ ବୋଧକ ଶବ୍ଦ, ସମାର୍ଥ ବୋଧକ ଶବ୍ଦ, ସନ୍ଧି ବିଚ୍ଛେଦ ଇତ୍ୟାଦିର ସାହାଯ୍ୟ ନିଅନ୍ତି  ଏହାପରେ ବାକ୍ୟ ଗଠନ ସାହାଯ୍ୟରେ ଶବ୍ଦ କିପରି ଭାଷାରେ ବ୍ୟବହାର ହୁଏ ତାହା ଶିଖାଇ ଦିଆଯାଏ ପିଲାମାନେ ଉପଯୁକ୍ତ ବାକ୍ୟଟିଏ କହିଲେ ଶିକ୍ଷକ ତାକୁ କଳାପଟାରେ ଲେଖି ତାକୁ ଉତ୍ସାହିତ କରନ୍ତି ଓ ଛାତ୍ରଛାତ୍ରୀମାନେ ଏହାକୁ ନିଜ ଖାତାରେ ଲେଖି ନିଅନ୍ତି 
- ଛାତ୍ରଛାତ୍ରୀଙ୍କ ନିରବ ପଠନ- ଛାତ୍ରଛାତ୍ରୀମାନେ କଠିନ ଶବ୍ଦର ଅର୍ଥ ଓ ବ୍ୟବହାର ଜାଣିବା ପରେ ପ୍ରସଂଗଟିକୁ ନିରବରେ ପଢ଼ିବା ପାଇଁ ଦିଆଯାଏ  ଏହାଦ୍ବାରା ପ୍ରସଂଗ ନିହିତ ଭାବଧାରା ବୁଝିବା ପାଇଁ ଛାତ୍ରଛାତ୍ରୀମାନେ ସମର୍ଥ ହୁଅନ୍ତି  ଅନ୍ୟ ପ୍ରକାରରେ ନିରବ ପଠନ ପାଇଁ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଦୁଇ ତିନୋଟି ପ୍ରଶ୍ନ ଦେଇ ଏହାର ଉତ୍ତର ଖୋଜି ବାହାର କରିବାକୁ ଦେଇ ପାରନ୍ତି  ଫଳରେ ଛାତ୍ରଛାତ୍ରୀମାନେ ଉତ୍ତର ଖୋଜିବା ସମୟରେ ନିରବ ପଠନ ହୋଇଥାଏ 
- ପ୍ରସଂଗର ଭାବନ୍ମୋଚନ ଓ ବୋଧଜ୍ଞାନ- ଛାତ୍ରଛାତ୍ରୀମାନେ ବିଷୟ ବସ୍ତୁକୁ କେତେ ହୃଦୟଂଗମ କଲେ ତାହା ଜାଣିବା ପାଇଁ ଶିକ୍ଷକ କେତେ ଗୁଡ଼ିଏ ପ୍ରଶ୍ନ ପଚାରି ଥାନ୍ତି  ପିଲାମାନେ ବୁଝି ନଥିବା ଧାରଣାକୁ ବିଶ୍ଳେଷଣ କରି ତାକୁ ବୁଝାଇ ଥାନ୍ତି  ଆବଶ୍ୟକ ପଡ଼ିଲେ ଦଳ ଗଠନ କରି ଛାତ୍ରଛାତ୍ରୀମାନେ ଲେଖିଥିବା ଉତ୍ତରକୁ ଉପସ୍ଥାପନା, ଆଲୋଚନା ଓ ସଂକ୍ଷେପଣ ଦ୍ବାରା ସମାଧାନ କରିଥାନ୍ତି 

- ମୂଲ୍ୟାୟନ- ଏହି ସୋପାନରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଉପଲବ୍ଧିର ମୂଲ୍ୟାୟନ କରାଯାଇଥାଏ  ଶିକ୍ଷାଦାନର ଉଦ୍ଦେଶ୍ୟ ଗୁଡ଼ିକ କେତେଦୂର ପୂରଣ ହେଲା ଜାଣିବା ପାଇଁ ଲବ୍ଧଜ୍ଞାନ ପରିମାପକ ପ୍ରଶ୍ନ ଦ୍ବାରା ମୂଲ୍ୟାୟନ କରାଯାଇ ଥାଏ  ଏହାର ଫଳାଫଳକୁ ବିଚାର କରି ଶିକ୍ଷକ ଶିକ୍ଷାଦାନ-ଶିକ୍ଷଣର ପରବର୍ତ୍ତୀ କାର୍ଯ୍ୟ ସ୍ଥିର କରିଥାନ୍ତି 
.............................................................................


ପଦ୍ୟ ଶିକ୍ଷାଦାନ-ଶିକ୍ଷଣ
      କବିତା ଶିକ୍ଷାଦାନ ଦ୍ବାରା ଶିକ୍ଷକ ଏହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ ଭାବକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରି ତାହାର କବ୍ୟିକ ଆନନ୍ଦ ସହିତ ପରିଚିତ କରାଇଥାନ୍ତି  କବିତାରେ ବର୍ଣ୍ଣିତ ବିଷୟର ଭାବଧାରା, କବି ମନର କଳ୍ପନା, କବିତାରେ ଛନ୍ଦର ଲାଳିତ୍ୟ, ଅର୍ଥର ଚମତ୍କାରିତା, ଆବେଗାନୁଭୂତିର ଗାମ୍ଭିର୍ଯ୍ୟ ପ୍ରକାଶକାରୀ ଶବ୍ଦହିଁ ଏହାର ସୌନ୍ଦର୍ଯ୍ୟ  କଥାରେ ଅଛି :- Poetry is blossom and the fragrance of all human knowledge, human thoughts, human passions, emotions, and language.
     କବିତାର ଅଧ୍ୟୟନ ପାଠକକୁ ଆନନ୍ଦ ଦିଏ ଓ ସୌନ୍ଦର୍ଯ୍ୟ ଉପଲବ୍ଧି ପାଇଁ  ସୁଯୋଗ ଦିଏ  ଗଦ୍ୟ ମସ୍ତିସ୍କକୁ ସ୍ପର୍ଶ କଲାବେଳେ ପଦ୍ୟ ହୃଦୟକୁ ସ୍ପର୍ଶ କରିଥାଏ , ଗଦ୍ୟ ଯୁକ୍ତିଶକ୍ତିକୁ ଶାଣିତ କଲାବେଳେ କବିତା ରୁଚିବୋଧ ଓ ସୌନ୍ଦର୍ଯ୍ୟକୁ ମାର୍ଜିତ କରେ ତେଣୁ ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ଠାରୁ ସାମାନ୍ୟ ପାର୍ଥକ୍ୟ ରଖିଥାଏ 

ପଦ୍ୟ ଶିକ୍ଷାଦାନ-ଶିକ୍ଷଣର ଉଦ୍ଦେଶ୍ୟ :-
·         ଶିକ୍ଷାର୍ଥୀମାନେ କବିତାରେ ବର୍ଣ୍ଣିତ ବିଷୟର ଭାବଧାରା ବୁଝି ପାରିବେ
·         ଶିକ୍ଷାର୍ଥୀମାନେ ଶ୍ରବଣ, କଥନ, ପଠନ / ଆବୃତ୍ତି , ଲିଖନ ଦକ୍ଷତାର ବିକାଶ ସାଧନ କରିପାରିବେ
·         କବି ମନର ଚିନ୍ତା, ଆବେଗ, ଅନୁଭୂତି ସମ୍ପର୍କରେ ଧାରଣା କରିପାରିବେ
·         କବିତା ପାଠ କରି ତାହାର ଆନନ୍ଦ ଉପଭୋଗ କରିପାରିବେ
·         ଶିକ୍ଷାର୍ଥୀମାନଙ୍କର ସୌନ୍ଦର୍ଯ୍ୟବୋଧ ବିକଶିତ ହେବ
·         ସେମାନଙ୍କର  କଳ୍ପନା ଶକ୍ତିର ବିକାଶ ହେବ
·         ଶିକ୍ଷାର୍ଥୀମାନେ ମାନବିକ ଗୁଣାବଳୀ ସହିତ ପରିଚିତ ହେବେ
·         କବିତାରେ ବିଶେଷ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିବା ଶବ୍ଦ ବା ଶବ୍ଦଗୁଡ଼ିକର ତାତ୍ପର୍ଯ୍ୟ ବୁଝି ପାରିବେ
·         ନିଜ ଦେଶର ଐତିହ୍ୟ ଓ ସଂସ୍କୃତି ସହିତ ପରିଚିତ ହେବେ
·         ଅଧିକରୁ ଅଧିକ କବିତା ପଢ଼ିବାପାଇଁ ପ୍ରେରଣା ଲାଭ କରିବେ
·         ଛାତ୍ରଛାତ୍ରୀମାନଙ୍କର ସୃଜନିଶକ୍ତିର ବିକାଶ ସାଧନ ହେବ

ଗଦ୍ୟ ଶିକ୍ଷାଦାନ ପରି ପଦ୍ୟ ଶିକ୍ଷାଦାନ-ଶିକ୍ଷଣର ମଧ୍ୟ ତିନୋଟି ସୋପାନକୁ ଗ୍ରହଣ କରାଯାଇ ଥାଏ  ଯଥା :- କ-ଉପକ୍ରମ, ଖ- ଉପସ୍ଥାପନ, ଗ- ମୂଲ୍ୟାୟନ
- ଉପକ୍ରମ - ନୂତନ ପାଠ ପ୍ରତି ଆଗ୍ରହ ଓ କୌତୁହଳ ସୃଷ୍ଟି କରିବା ପାଇଁ ନୂତନ ପ୍ରସଂଗର ଭାବଧାରା ସହିତ ସମାନତା ରକ୍ଷା କରୁଥିବା କିଛି କବିତାଂଶ, ଚିତ୍ର, ମଡେଲ୍, ଗଳ୍ପ କଥନ, ପ୍ରଶ୍ନୋତ୍ତର ଇତ୍ୟାଦିର ସାହାଯ୍ୟ ନେଇ ଉପକ୍ରମ କରାଯାଇ ଥାଏ  ଏଥିରେ କେତୋଟି ସରଳ ଓ ସଂକ୍ଷିପ୍ତ ପ୍ରଶ୍ନ ପଚରା ଯାଇଥାଏ  ଏହାପରେ ଶିକ୍ଷକ ନିଜର ଉଦ୍ଦେଶ୍ୟ ଜଣାଇ କଳାପଟାରେ ପ୍ରସଂଗ ସ୍ଥାନ ପୂରଣ କରିଥାନ୍ତି 
- ଉପସ୍ଥାପନ– ଉପସ୍ଥାପନରେ ପ୍ରାରମ୍ଭିକ କାର୍ଯ୍ୟ ହେଲା କବି ପରିଚୟ  ଏହି କବି ପରିଚୟରେ କବିଙ୍କ ନାମ, ଜନ୍ମସ୍ଥାନ, ଜନ୍ମ ସମୟ ଏବଂ କବିଙ୍କ ଅନ୍ୟ କବିତା ଗୁଡ଼ିକ ବିଷୟରେ ସୁଚନା ଦିଆଯାଏ ଏବଂ ଛାତ୍ରଛାତ୍ରୀମାନେ ଏହାକୁ ନିଜ ଖାତାରେ ଲେଖିଥାନ୍ତି  କବିଙ୍କ ଫଟୋ ବା ମଡେଲ୍ ଦେଖାଇ ଏହି କାର୍ଯ୍ୟ କରାଗଲେ ଏହା ଅଧିକ ଆକର୍ଷଣୀୟ ହୋଇଥାଏ 
- କବିତାର ପୃଷ୍ଠଭୂମି ଓ ସଂକ୍ଷିପ୍ତ ସାରାଂଶ କଥନ – ଏହି କାର୍ଯ୍ୟ ଛାତ୍ରଛାତ୍ରୀମାନଂକୁ କବିତାରେ ଥିବା ଭାବଧାରାକୁ ସହଜରେ ହୃଦୟଂଗମ କରିବା ପାଇଁ ବିଶେଷ ସାହାଯ୍ୟ କରିଥାଏ  ଶିକ୍ଷକ କବିତାରେ ଥିବା ସାରମର୍ମକୁ ଅତି ସଂକ୍ଷେପରେ ଉପସ୍ଥାପନ କରିବା ଆବଶ୍ୟକ 
- ଶିକ୍ଷକଙ୍କ ଆଦର୍ଶ ଆବୃତ୍ତି – କବିତାର ଭାବକୁ ଦୃଷ୍ଟିରେ ରଖି ଶିକ୍ଷକ ଭଲଭାବରେ ଆବୃତ୍ତି କଲେ ଛାତ୍ରଛାତ୍ରୀମାନେ ବିଷୟ ବସ୍ତୁର ଅଧିକାଂଶ ବୁଝି ପାରିଥାନ୍ତି । ଆବଶ୍ୟକ ସ୍ଥଳେ ଶିକ୍ଷକ ଦୁଇ ତିନିଥର ଆବୃତ୍ତି କରିବା ଉଚିତ୍ 
- ଛାତ୍ରଛାତ୍ରୀଙ୍କ ନୀରବ ପଠନ – କବିତାର ଭାବଗ୍ରହଣ ପାଇଁ ଶିକ୍ଷକଙ୍କ ଆଦର୍ଶ ଆବୃତ୍ତି ପରେ ଛାତ୍ରଛାତ୍ରୀମାନେ ନୀରବ ପଠନ କରିଥାନ୍ତି  କେତେକ ସମୟରେ ଶିକ୍ଷକ କୌଣସି ପଦକୁ ଗଦ୍ୟରେ କହିବା ପରେ ଛାତ୍ରଛାତ୍ରୀମାନଂକୁ ପ୍ରସଂଗର ପଦଟିକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇ ଏହି କାର୍ଯ୍ୟକୁ ମଧ୍ୟ କରିପାରନ୍ତି 
- କବିତାର ଭାବ ଉନ୍ମୋଚନ – ଗଦ୍ୟ ଶିକ୍ଷାଦାନ-ଶିକ୍ଷଣରେ କରାଯାଉଥିବା ଶବ୍ଦ କାଠିନ୍ୟ  ଦୂରୀକରଣ ଓ ଶବ୍ଦାନୁଶୀଳନ ପରି କାର୍ଯ୍ୟ ପଦ୍ୟ ଶିକ୍ଷାଦାନ-ଶିକ୍ଷଣ ସମୟରେ କରାଯାଏ ନାହିଁ । ଏଥିରେ କବିତାର ଭାବଗ୍ରହଣ ଓ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଉପଲବ୍ଧି ପାଇଁ ଚେଷ୍ଟା କରାଯାଏ   କବିତାରେ ଭାବବୋଧ ତଥା ସୌନ୍ଦର୍ଯ୍ୟ ଉପଲବ୍ଧିରେ ବାଧା  ସୃଷ୍ଟି କରୁଥିବା କଠିନ ଶବ୍ଦର ଅର୍ଥକୁ ପ୍ରଶ୍ନ ମାଧ୍ୟମରେ, ସରଳ ବର୍ଣ୍ଣନା ମାଧ୍ୟମରେ, ବୁଝାଇ ଦେବା ଆବଶ୍ୟକ  ଶିକ୍ଷକ ସହଜ, ସରଳ, ସଂକ୍ଷିପ୍ତ ଓ ଉଦ୍ଦେଶ୍ୟ ଆଧାରିତ ପ୍ରଶ୍ନ ମାଧ୍ୟମରେ କବିତାର ଭାବ ବିଶ୍ଳେଷଣ କରନ୍ତି 
- ଛାତ୍ରଛାତ୍ରୀଙ୍କ ଦ୍ବାରା ରସାନୁସାରିଣୀ ଆବୃତ୍ତି – ଏହା କବିତାର ରସ ଉପଲବ୍ଧିରେ ସାହାଯ୍ୟ କରିଥାଏ  ଛାତ୍ରଛାତ୍ରୀଙ୍କ ଆବୃତ୍ତିଗତ ତ୍ରୁଟିକୁ ଛାତ୍ରଛାତ୍ରୀ ବା ଶିକ୍ଷକଙ୍କ ଦ୍ବାରା ସଂଶୋଧନ କରାଯାଇଥାଏ । କବିତାଟି ଗାନଯୋଗ୍ୟ ହୋଇଥିଲେ କୌଣସି ଛାତ୍ରଛାତ୍ରୀ ଏହାକୁ ଗାଇ ପାରନ୍ତି  କେତେକ କ୍ଷେତ୍ରରେ ଶିକ୍ଷକ ସଂକ୍ଷିପ୍ତ ପ୍ରଶ୍ନ ପଚାରନ୍ତି ଓ ଛାତ୍ରଛାତ୍ରୀମାନେ ସେହି ତଥ୍ୟ ଥିବା ପଦକୁ ଗାନ କରିଥାନ୍ତି 
ଗ - ମୂଲ୍ୟାୟନ –ଏହି ସ୍ତରରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଉପଲବ୍ଧିର ମୂଲ୍ୟାୟନ କରାଯାଇଥାଏ  ଶିକ୍ଷାଦାନର ଉଦ୍ଦେଶ୍ୟକୁ ଆଧାର କରି ପ୍ରସଂଗରେ ବର୍ଣ୍ଣିତ ବିଭିନ୍ନ ତଥ୍ୟ, ଭାବ ଓ ସୌନ୍ଦର୍ଯ୍ୟ ଇତ୍ୟାଦିକୁ  ଆଖି ଆଗରେ ରଖି ବିଭିନ୍ନ ଲବ୍ଧଜ୍ଞାନ ପରିମାପକ ପ୍ରଶ୍ନ ପଚରା ଯାଇଥାଏ । ମୂଲ୍ୟାୟନକୁ ଆଧାର କରି ଶିକ୍ଷାଦାନ-ଶିକ୍ଷଣର ପରବର୍ତ୍ତୀ କାର୍ଯ୍ୟ ସ୍ଥିର କରାଯାଇ ଥାଏ 
..............................................................................

ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣ
     ନୀରବ ଭାବରେ ଦ୍ରୁତ ପଠନ ଦ୍ବାରା ବିଷୟବସ୍ତୁର ସାରକଥାକୁ ଅଳ୍ପ ସମୟ ମଧ୍ୟରେ ଗ୍ରହଣକରି ଆନନ୍ଦପ୍ରାପ୍ତ ହେବା ଅତିରିକ୍ତ ସାହିତ୍ୟ  (Non-detailed study) ପଠନର ପ୍ରଧାନ ଉଦ୍ଦେଶ୍ୟ  ନିମ୍ନ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଉଚ୍ଚ ପଠନ ଉପରେ ପ୍ରାଧାନ୍ୟ ଥିବାବେଳେ ଉଚ୍ଚ ଶ୍ରେଣୀରେ ନୀରବ ପଠନ ପାଇଁ ଦୃଷ୍ଟି ଦେଲେ ଏହା ବିଶେଷ ଫଳପ୍ରଦ ହୋଇଥାଏ 
     ଶିକ୍ଷାଦାନ-ଶିକ୍ଷଣ  ସମୟରେ ଶିକ୍ଷକ କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସାହିତ୍ୟର ବିଷୟବସ୍ତୁକୁ ଶିକ୍ଷାଦାନ-ଶିକ୍ଷଣ କ୍ଷେତ୍ରରେ ପ୍ରସ୍ତୁତ କରିବା ଆବଶ୍ୟକ  ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣର କେତେକ ଉଦ୍ଦେଶ୍ୟ ନିମ୍ନରେ ପ୍ରଦାନ କରାଗଲା 
·         ଶିକ୍ଷାର୍ଥୀମାନେ ବିଷୟବସ୍ତୁ ସମ୍ବନ୍ଧୀୟ ନୂତନ ଜ୍ଞାନ ଆହରଣ କରିବେ 
·         ଦ୍ରୁତ ପଠନଦ୍ବାରା ଅର୍ଥବୋଧରେ ଅଭ୍ୟସ୍ତ ହେବେ
·         ସାହିତ୍ୟର ସୌନ୍ଦର୍ଯ୍ୟ ଅନୁଭବ କରିବେ
·         ଭାଷା ବ୍ୟବହାର ଓ ବିଭିନ୍ନ ସାହିତ୍ୟିକ ଶୈଳୀ ସମ୍ବନ୍ଧରେ ସେମାନଂକର ଧାରଣା ସୃଷ୍ଟି ହେବ
·         କଳ୍ପନା ଶକ୍ତିର ଅଭିବୃଦ୍ଧି ଘଟିବ
·         ପଠନ ଦ୍ବାରା ଆନନ୍ଦ ଅନୁଭବ କରିବେ
·         ନୀରବ ପଠନରେ ଶିକ୍ଷାର୍ଥୀମାନେ ଅଭ୍ୟସ୍ତ ହେବେ
·         ଶିକ୍ଷାର୍ଥୀମାନଂକର ସର୍ଜନଶକ୍ତିର ବିକାଶ ହେବ
·         ଅଧିକ ପଠନଦ୍ବାରା ଶିକ୍ଷଣ ଦୃଢୀକରଣ ହେବ

     ମାତୃଭାଷାରେ ଗଦ୍ୟ ଶିକ୍ଷାଦାନ-ଶିକ୍ଷଣ ପାଇଁ ଅନୁସୃତ ସୋପାନ ଯଥା- ଉପକ୍ରମ, ଉପସ୍ଥାପନ ମୂଲ୍ୟାୟନ ଆଦିକୁ ଏହି ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣରେ ଗ୍ରହଣ କରାଯାଇ ଥାଏ  ମାତ୍ର  ଅଳ୍ପ କେତେକ କ୍ଷେତ୍ରରେ କିଛି  ପ୍ରଣାଳୀଗତ ପାର୍ଥକ୍ୟ ଦେଖାଯାଏ 
     ମାତୃଭାଷାରେ ଅତିରିକ୍ତ ସାହିତ୍ୟ ପଠନ ସମୟରେ ଆଦର୍ଶ ଉଚ୍ଚପଠନ ପାଇଁ ଶିକ୍ଷକ ନିଜେ ପଠନ ନକରି କେତେଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଚ୍ଚ ପଠନ କରାଇବା ଆବଶ୍ୟକ  ଫଳରେ ଶିକ୍ଷାର୍ଥୀଙ୍କ ପଠନ ଅଭ୍ୟାସ ଓ ପଠନ ଶୈଳୀ ମାର୍ଜିତ ହେବା ସଂଗେ ସଂଗେ ପଠନପାଇଁ ସେମାନେ ପ୍ରେରଣା ପାଇବେ  ଆବଶ୍ୟକ ସ୍ଥଳେ ଶିକ୍ଷକ ଆଦର୍ଶ ଉଚ୍ଚ ପଠନ କରିବେ 
     ଶିକ୍ଷାଦାନ-ଶିକ୍ଷଣ ସମୟରେ ଗଦ୍ୟ ପାଇଁ କରାଯାଉଥିବା ଶବ୍ଦାର୍ଥବୋଧ ଓ ଶବ୍ଦାନୁଶୀଳନ ଅତିରିକ୍ତ ସାହିତ୍ୟରେ ବିଶେଷ ଆବଶ୍ୟକ ପଡ଼େନାହିଁ  ଯଦି କଠିନ ଶବ୍ଦକୁ ବୁଝିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୁଏ ତେବେ ଶିକ୍ଷକ ଏହାର ଅର୍ଥକୁ ସିଧାସଳଖ ବୁଝାଇଦେବେ 
     ଅତିରିକ୍ତ ସାହିତ୍ୟ ଶିକ୍ଷଣରେ  ଭାବଧାରା ବୁଝାଇବା ପାଇଁ ବିଶଦ ଭାବରେ ଆଲୋଚନା କରାଯାଏ ନାହିଁ  କେବଳ ମୁଖ୍ୟ ଭାବଧାରାକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରାଯାଏ  ପଠିତାଂଶରୁ ସାରମର୍ମ ବା ସାରାଂଶ ମୂଳକ ପ୍ରଶ୍ନ ଦିଆଯାଇ ପାରେ  ପ୍ରଶ୍ନଗୁଡ଼ିକ ସାଧାରଣତଃ ଭାବମୂଳକ ହେଲେ ଭଲ 

     ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ-ଶିକ୍ଷଣର ମୂଲ୍ୟାୟନ ଗଦ୍ୟ ପାଠପରି ହେବନାହିଁ  ଏଥିରେ ପଠିତାଂଶର ସାରକଥା, ନୀତିବାଣୀ, ବିଭିନ୍ନ ଚରିତ୍ର, ମୂଲ୍ୟବୋଧ ସମ୍ପର୍କିତ ପ୍ରଶ୍ନ ପଚରା ଯିବା ଆବଶ୍ୟକ