Monday, 1 May 2017

ଶିକ୍ଷା ବିଜ୍ଞାନ PEDAGOGY

   

ଓଡ଼ିଆ ଶିକ୍ଷଣ ସମ୍ପର୍କରେ ପଦେ
          ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ହେଉଛନ୍ତି ମୂଳ ଆଧାର I ସମଗ୍ର ଶିକ୍ଷା ବ୍ୟବସ୍ଥା ଶିକ୍ଷକଙ୍କ ଜ୍ଞାନ ଓ ଦକ୍ଷତା ଉପରେ ନିର୍ଭର କରେ I ତେଣୁ ଶିକ୍ଷକ ନିଜର ଜ୍ଞାନ ଓ ଦକ୍ଷତାକୁ ସର୍ବଦା ପରିବର୍ଦ୍ଧନ ଏବଂ ଅଧୁନାତନ (Update)  କରିବା ଆବଶ୍ୟକ I ପାଠ୍ୟ ବିଷୟ ଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଯଥା:-ଭାଷା ଓ ଅନ୍ୟାନ୍ୟ ବିଷୟ I ମାତୃଭାଷା ଶିକ୍ଷା ଅନ୍ୟ ବିଷୟ ଗୁଡ଼ିକୁ ଶିକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ମାତୃଭାଷାକୁ ଶିକ୍ଷାର୍ଥୀ ଅତି ସହଜରେ ମଧ୍ୟ ଶିକ୍ଷା କରିଥାଏ I ମାତୃଭାଷା ଶିକ୍ଷା ଦ୍ବାରା ପିଲା କହିବା, ବୁଝିବା, ଲେଖିବା, ପଢ଼ିବା ଦିଗରେ ସମର୍ଥ ହେଉଥିବାରୁ ସେ ଗଣିତ, ପରିବେଶ, ବିଜ୍ଞାନ ଇତ୍ୟାଦି ବିଷୟ ଗୁଡ଼ିକୁ ସହଜରେ ଆୟତ କରିଥାଏ I ମାତୃଭାଷା ସମ୍ପର୍କରେ ବିଖ୍ୟାତ ଲେଖକ ରାଇବର୍ଣ୍ଣ କହିଥିଲେ–“ ମାତୃଭାଷା ଏକାଧାରରେ ଭାବପ୍ରକାଶର ମାଧ୍ୟମ, ଜ୍ଞାନ ଓ ଆନନ୍ଦ ଆହରଣର ଏକ ଉତ୍ସ ଏବଂ ରୁଚି ଓ ଆବେଗାନୁଭୂତିର ନିୟାମକ I ମଣିଷର ସର୍ବୋତ୍ତମ ଶକ୍ତି ସୃଜନଶୀଳତାର ବିକାଶ ଏହି ମାତୃଭାଷା ମାଧ୍ୟମରେ ହିଁ ସମ୍ଭବପର ସେହି ଦୃଷ୍ଟିରୁ ଏହା ବିଶ୍ବସ୍ରଷ୍ଟାଙ୍କ ନିକଟବର୍ତ୍ତୀ କରାଇଥାଏ” I
          ପିଲାମାନଂକ ଭିତରେ ଜନ୍ମରୁ ଅନ୍ତର୍ନିହିତ ଭାବରେ ଭାଷାଜ୍ଞାନ ପାଇଁ ସମ୍ଭାବ୍ୟ ଦକ୍ଷତା  ଥାଏ I ଆମେ ନିତିଦିନିଆ ଅନୁଭୂତିରୁ ଏକଥା ଜାଣୁ ଯେ ଅଧିକାଂଶ ପିଲା ବିଦ୍ୟାଳୟରେ ପାଠ ପଢ଼ିବା ଆଗରୁ ଭାଷା ବିଷୟରେ ଅନେକ କଥା ଜାଣିଥାନ୍ତି I ବିଶେଷକରି ସେ ଶୁଣିପାରେ, ଶୁଣି ବୁଝିପାରେ ଏବଂ କହିପାରେ I ପିଲାମାନେ ଯେ କେବଳ ଶୁଣି ବୁଝିପାରନ୍ତି ସେ କଥା ନୁହେଁ, ବରଂ ଉପଯୁକ୍ତ ଭାବରେ କିପରି ଭାଷା ବ୍ୟବହାର କରିବେସେ କଳାଟି ଜାଣିଥାନ୍ତି I ତେଣୁ ବିଦ୍ୟାଳୟରେ ଉତ୍ତମ ଭାଷା ଶିକ୍ଷଣ ପାଇଁ ଆମକୁ ପିଲାମାନଂକ ଭିତରେ ଥିବା ଅନ୍ତର୍ନିହିତ ଭାଷାଗତ ସମ୍ଭାବନା ଗୁଡିକୁ ଚିନ୍ହିବାକୁ ହେବ ପରିତାପର ବିଷୟ ଆମ ବିଦ୍ୟାଳୟ ମାନଙ୍କରେ "ଓଡ଼ିଆ" ଭଲଭାବରେ ଶିକ୍ଷା ଦିଆ ଯାଏ ନାହିଁ I ଆମ ମାନଂକ ପାଖରେ ନାଁ ଅଛି ଉନ୍ନତ ମାନର ପାଠ୍ୟପୁସ୍ତକ ନାଁ ଅଛି ଭଲ ଶିକ୍ଷା ପଦ୍ଧତି I ତେଣୁ ଆମର ଓଡ଼ିଆ ଛାତ୍ରଛାତ୍ରୀମାନେ ଓଡିଆ ଭାଷାରେ ଦୁର୍ବଳ, ଫଳ ସ୍ବରୂପ ଅନ୍ୟ ବିଷୟରେ ମଧ୍ୟ ଦୁର୍ବଳତା ପ୍ରଦର୍ଶନ କରିଥାନ୍ତି I
           ଏ ସବୁକୁ ଦୃଷ୍ଟିରେ ରଖି ଓଡ଼ିଆ ଶିକ୍ଷାଦାନକୁ ସୁଗମ ଓ ପରିମାର୍ଜିତ କରିବା "ଓଡ଼ିଆ ଶିକ୍ଷଣ ODIA SHIKSHANA"ର ଏକ ଛୋଟ ପ୍ରୟାସ ମାତ୍ର I
 ବିଭାଗ - କ 
 ମାତୃଭାଷା ଶିକ୍ଷାର ଲକ୍ଷ୍ୟ   ଉଦ୍ଦେଶ୍ୟ
         ମହାସାଗର  ମଧ୍ୟରେ ଦିଗହରା ନାବିକ ଭଳି ଶିକ୍ଷକଙ୍କ ଲକ୍ଷ୍ୟ ଓ  ଉଦ୍ଦେଶ୍ୟ ବିହିନ ଶିକ୍ଷାଦାନ କାର୍ଯ୍ୟ ଦିଗହରା ହୋଇଥାଏ I ତେଣୁ ବିଦ୍ୟାଳୟରେ ଶିକ୍ଷା ଦାନ ସମୟରେ ପ୍ରତ୍ୟେକ ବିଷୟ ଭଳି ମାତୃଭାଷା ଶିକ୍ଷା ଦାନର ମଧ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ଥିର କରାଯାଇଛି  Iଏଗୁଡିକୁ ହାସଲ କରିବା ନିମନ୍ତେ ଶିକ୍ଷକ ସର୍ବଦା ଚେଷ୍ଟା କରିବା ଆବଶ୍ୟକ I
          ପ୍ରତ୍ୟେକ କାର୍ଯ୍ୟ ପଛରେ ଗୋଟିଏ ଲକ୍ଷ୍ୟ ଥାଏ I ଉତ୍ତମ ଲକ୍ଷ୍ୟ କାର୍ଯ୍ୟକୁ ସଫଳତା ଆଡ଼କୁ ଆଗେଇ ନେଇଥାଏ I ଲକ୍ଷ୍ୟ ବିଷୟରେ ଠିକ୍ ଧାରଣା ନଥିଲେ କାର୍ଯ୍ୟଟି ସଫଳ ହୋଇପାରେ ନାହିଁ I ଲକ୍ଷ୍ୟ ଶିକ୍ଷାକୁ ନିୟନ୍ତ୍ରଣ କରେ I  ମାତୃଭାଷାର ଲକ୍ଷ୍ୟ, ଉଦ୍ଦେଶ୍ୟ ସ୍ଥିର କଲାବେଳେ ବିଭିନ୍ନ ବୟସର ଶିକ୍ଷାର୍ଥୀ ମାନଂକ ଆବଶ୍ୟକତା, ରୁଚି, ପସନ୍ଦ, ଅପସନ୍ଦ, ଆଂଚଳିକତାର ପ୍ରଭାବ, ସଂସ୍କୃତି ଇତ୍ୟାଦି ଉପରେ ଗୁରୁତ୍ବ ଦେବାକୁ ପଡ଼ିଥାଏ I ସାଧାରଣତଃ ଶିଶୁମାନଂକର ବୟସ, ବିକାଶ ଓ ମନସ୍ତାତ୍ତ୍ବିକ ଦିଗ ଉପରେ ଦୃଷ୍ଟି ଦେଇ ମାତୃଭାଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ଥିର କରାଯାଇଥାଏ I ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରାୟ ପାଖାପାଖି ଏବଂ ପରସ୍ପର ସହ ସମ୍ବନ୍ଧିତ I ଉଦ୍ଦେଶ୍ୟ ଗୁଡ଼ିକ ଲକ୍ଷ୍ୟରୁ ଉଦ୍ଧୃତ ହୋଇଥାନ୍ତି I ଲକ୍ଷ୍ୟ ଗୁଡ଼ିକ ନିର୍ଦ୍ଦିଷ୍ଟ ଦିଗରେ ନିର୍ଦ୍ଦେଶ  ହେଲେ, ଉଦ୍ଦେଶ୍ୟ ଗୁଡ଼ିକ ଉକ୍ତ ଦିଗରେ ସମ୍ଭାବ୍ୟ କୃତି ଅଟନ୍ତି I

ମାତୃଭାଷା ଶିକ୍ଷା ଦାନର ଲକ୍ଷ୍ୟ :–
          ୧.ଭାଷାର ବ୍ୟାବହାରିକ କୌଶଳ ଶିକ୍ଷା
          ୨. ବିଷୟଗତ ଜ୍ଞାନ ଅର୍ଜନ
          ୩ . ଆବେଗିକ ପରିପ୍ରକାଶ
          ୪. ବ୍ୟକ୍ତିଗତ ରୁଚିର ପାରିମାର୍ଜିତ
          ୫. ସୃଜନଶୀଳତାର ଆତ୍ମ ପ୍ରକାଶ
          ୬. ସଂସ୍କୃତି ଓ ଐତିହର ସଂରକ୍ଷଣ
          ୭. ଗଣତାନ୍ତ୍ରିକ ମୁଲ୍ୟବୋଧର ବିକାଶ

     John Dewey  ଲକ୍ଷ୍ୟ ଉପରେ ନିଜସ୍ବ ମନ୍ତବ୍ୟ ଦେଇ କହିଛନ୍ତି  An aim is a foreseen end which gives direction to a certain activity or motivates human behavior.” – ଲକ୍ଷ୍ୟ ହେଉଛି କାର୍ଯ୍ୟ ସମ୍ପାଦନ ପୂର୍ବରୁ କାର୍ଯ୍ୟର ଅନ୍ତିମ ଫଳାଫଳକୁ ଦେଖି ପରିବା ବା ଜାଣିପାରିବା, ଯାହାକି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନା ଦିଏ କିମ୍ବା ମନୁଷ୍ୟ ଆଚରଣକୁ ଅଭିପ୍ରେତ କରିଥାଏ  I
Dr. R.N. Patel କଛିଛନ୍ତି ଯେ- “An objective is a point or an end-view of the possible achievement in terms of what a student is to be able to do when the whole educational system is directed  towards educational aims.” – ଉଦ୍ଦେଶ୍ୟ ଏକ ସମ୍ଭାବ୍ୟ କୃତି, ଯାହାକି ଛାତ୍ରଛାତ୍ରୀମାନେ ହାସଲ କରିବାରେ ସମର୍ଥ ହୁଅନ୍ତି, ଯେତେବେଳେ ସମଗ୍ର ଶିକ୍ଷାବ୍ୟବସ୍ଥା ଶିକ୍ଷାର ଲକ୍ଷ୍ୟ ହାସଲ ଦିଗରେ ପରିଚାଳିତ ହୋଇଥାଏ  I
         ମାତୃଭାଷା ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀ ମାନଂକର ଭାଷା ଦକ୍ଷତା ବୃଦ୍ଧି କରିବା ପାଇଁ ଚେଷ୍ଟା ଆବଶ୍ୟକ I ଅବଶ୍ୟ ପିଲାମାନେ ଜନ୍ମ ହେବା ପରେପରେ ଭାଷା ଶିଖିବା ଆରମ୍ଭ କରିଥାନ୍ତି ଏବଂ ବିଦ୍ୟାଳୟକୁ ଆସିବା ପୂର୍ବରୁ ବହୁ ଭାଷାଜ୍ଞାନ ହାସଲ କରିଥାନ୍ତି କିନ୍ତୁ ଏଗୁଡିକ କେବଳ ଶୁଣିବା ଓ କହିବା ମଧ୍ୟରେ ସୀମିତ ମାତୃଭାଷା ଶିକ୍ଷାଦାନ ବେଳେ ନିମ୍ନଲିଖିତ ଦକ୍ଷତାଗୁଡ଼ିକର କିପରି ବିକାଶ ହୋଇପାରିବ ସେ ବିଷୟରେ ଗୁରୁତ୍ବ ଦେବା ଆବଶ୍ୟକ I

୧- ଶ୍ରବଣ ଦକ୍ଷତାର ବିକାଶ ସାଧନ I
୨- କଥନ ଦକ୍ଷତାର ବିକାଶ ସାଧନ I
୩- ପଠନ ଦକ୍ଷତାର ବିକାଶ ସାଧନ I
୪ - ଲିଖନ ଦକ୍ଷତାର ବିକାଶ ସାଧନ I
୫-(ଭାଷାର ବୋଧ ଗମ୍ୟତା)ଶୁଣୁ ଥିବା ଓ ପଢୁଥିବା ବିଷୟ ଗୁଡ଼ିକୁ ବୁଝିବା ଦିଗରେ ସାମର୍ଥ୍ୟ ପ୍ରଦାନ I
୬- ବ୍ୟIବହାରିକ ବ୍ୟାକରଣ ସମ୍ପର୍କରେ ଅବଗତ ହେବା I
୭- ସ୍ବ-ଶିକ୍ଷଣ ଦକ୍ଷତାର ବିକାଶ ସାଧନ I
୮- ଭାଷାର ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ ସାଧନ I
୯- ଶବ୍ଦ ସମ୍ଭାର ଅଭିବୃଦ୍ଧି ଦିଗରେ ସହାୟତା ପ୍ରଦାନ I
୧୦- ନିଜ ଦେଶର ଐତିହ ଓ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପ୍ରଦାନ I
୧୧- ଛାତ୍ରଛାତ୍ରୀଙ୍କ ଠାରେ ମାନବିକ ଗୁଣାବଳୀ ଓ ଇପ୍ସିତ ମୁଲ୍ୟବୋଧର ବିକାଶ ପାଇଁ ଉଦ୍ୟମ I
୧୨- ଦେଶ ପାଇଁ ଉତ୍ତମ ନାଗରିକ ଗଠନ I
୧୩- ଜାତୀୟ ସଂହତି ଭାବନା ଓ ଆନ୍ତର୍ଜାତୀକ ସଦ୍ ଭାବର ବିକାଶ ସାଧନ I
୧୪- ଶିକ୍ଷାର୍ଥୀ ମାନଙ୍କ କଳାବୋଧ ଓ ସୌନ୍ଦର୍ଯ୍ୟ ଚେତନାର ବିକାଶ ସାଧନ I
୧୫- ଛାତ୍ରଛାତ୍ରୀ ମାନଙ୍କ ସୃଜନଶୀଳତାର ବିକାଶ ସାଧନ I

      ଉପରୋକ୍ତ ଦକ୍ଷତା  ଗୁଡିକ ମଧ୍ୟରୁ ପ୍ରଥମ ୪ଟି  ଯଥା :-ଶ୍ରବଣ, କଥନ, ପଠନ ଓ ଲିଖନକୁ ମୌଳିକ ଦକ୍ଷତା କୁହାଯାଏ  I
      ଶ୍ରବଣ ଓ ପଠନ – ଭାବ ଗ୍ରହଣ 
      କଥନ ଓ ଲିଖନ –ଭାବ ପ୍ରକାଶ  

୧. ଶ୍ରବଣ ଦକ୍ଷତା 
        ଶିଶୁ ଜନ୍ମ ହେବା ପରେ ପରେ ଭାଷା ଶିଖିବା ଆରମ୍ଭ  କରିଥାଏ I ପ୍ରଥମେ ଶିଶୁ ଶୁଣି ବହୁତ କଥା ଶିଖିଥାଏ I ଯେଉଁ ଶିଶୁ ଭଲ ଭାବେ ଶୁଣିଥାଏ ସେ ଭଲ ଭାବେ କଥା କହିପାରେ I ଶୁଣିବା ଓ କହିବା ପରସ୍ପର ଜଡ଼ିତ I ଯେଉଁ ଶିଶୁ କିଛି ଶୁଣିପାରି ନଥାଏ ସେ ମୁକ ପାଲଟି ଯାଏ I ସେମାନେ ମାଆ, ବାପା, ପରିବାର ପଡୋଶୀ, ସାଂଗସାଥୀ , ଗୁରୁଜନ ତଥା ପରିବେଶରୁ ଅନେକ କଥା ଶିଖନ୍ତି ଏବଂ ବିଦ୍ୟାଳୟକୁ ଆସିବା  ପୂର୍ବରୁ ସେମାନେ ବହୁତ କିଛି ଶିଖିଯାଇ ଥାନ୍ତି I 
          ବିଦ୍ୟାଳୟରେ ଶ୍ରବଣ ଦକ୍ଷତାର ବିକାଶ ପାଇଁ ପ୍ରାରମ୍ଭିକ ଶ୍ରେଣୀରେ  ଛାତ୍ରଛାତ୍ରୀ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ଭଳି ଆନନ୍ଦ ଦାୟକ କାର୍ଯ୍ୟ କରାଯିବା ଦରକାର I ଏହାଦ୍ବାରା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇଥାନ୍ତି ଏବଂ ନିର୍ଭୟରେ ଅନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ଭାବବିନିମୟ କରି ଶିକ୍ଷଣ ଦକ୍ଷତା ହାସଲ କରି ଥାନ୍ତି ଏଥିପାଇଁ ଶିକ୍ଷକ ନିମ୍ନୋକ୍ତ କାର୍ଯ୍ୟ କରିପାରନ୍ତି  I
୧. ଗଳ୍ପ କଥନ – ପରି କଥା , ବୁଢୀ ଅଶୁରୁଣୀ କଥା , ପଂଚତଂତ୍ର କଥା , ଜାତକ  କଥା , ମହାପୁରୁଷଂକ           କଥା , ବେତାଳ କଥା , ପୁରାଣ କଥା ଇତ୍ୟାଦି I
୨. ଗୀତ -  ଶୀଶୁ ଗୀତ ,  ଲୋକ ଗୀତ , ଢଗ ଢମାଳୀ ଇତ୍ୟାଦି I
୩. ସଂଳାପ – ଶିଶୁର ବୟସ, ଆଗ୍ରହ, ମାନସିକ ଅବସ୍ଥାକୁ ନେଇ I
୪. ଘଟଣା ବର୍ଣ୍ଣନା – ଶିଶୁର ପୂର୍ବଜ୍ଞାନକୁ ନେଇ ବିଭିନ୍ନ ଘଟଣା ଉପରେ ଆଲୋଚନା I
୫. କଥାବାର୍ତ୍ତା – ଏହା ଏକ ବଳିଷ୍ଠ ମାଧ୍ୟମ I ଶିଶୁର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଆଲୋଚନା କରାଯାଇ ପାରେ I                                                                                

 ୨. କଥନ ଦକ୍ଷତା 
            କଥନ ହେଉଛି ମାତୃଭାଷାର ଦ୍ବିତୀୟ ଉଦ୍ଦେଶ୍ୟ I କଥାରେ ଅଛି “କହି ଜାଣିଲେ କଥା ସୁନ୍ଦର” – କଥା କହିବା ଗୋଟିଏ କଳା I ମନର ଭାବକୁ ଠିକ୍ ଭାବେ ପ୍ରକାଶ କଲେ ଶୁଣିବା ଲୋକ ବୁଝିପାରେ I ଭୟଶୂନ୍ୟ ଭାବରେ କଥା କହିଲେ ଶିଶୁର ଭାଷା ଦକ୍ଷତା ବୃଦ୍ଧି ହୁଏ I ଏହା ଭାଷାର ଅନ୍ୟ ସମସ୍ତ ଦକ୍ଷତାକୁ ପ୍ରଭାବିତ କରିଥାଏ I କଥନ ଦକ୍ଷତାର ବିକାଶ ପାଇଁ କେତେକ କାର୍ଯ୍ୟ –
 ୧. ଚିତ୍ର ପଠନ – କଥନ ଦକ୍ଷତାର ବିକାଶ ପାଇଁ ଚିତ୍ର ପଠନ କରାଯାଇ ଥାଏ I ସଚିତ୍ର ଗପ ବହି ବ୍ୟବହାର କରି ଛାତ୍ରଛାତ୍ରୀମାନେ ଗପ ଗୁଡିକୁ କହିପାରନ୍ତି I ଏତଦ୍ ବ୍ୟତୀତ ପତ୍ର ପତ୍ରିକା, ଖବର କାଗଜ, କ୍ୟାଲେଣ୍ଡର, ପୋଷ୍ଟର, ପୁରୁଣା ବହିର ଚିତ୍ର ସଂଗ୍ରହ କରି ଛାତ୍ରାଛାତ୍ରୀ ମାନଂକୁ ଦେଲେ ଏବଂ ସେ ବିଷୟରେ ଆଲୋଚନା ପାଇଁ ସୁଯୋଗ ଦେଲେ ସେମାନଂକର କଥନ ଦକ୍ଷତାର ବିକାଶ ହୋଇଥାଏ I
  ୨. ଗଳ୍ପ କଥନ ମଜା ଲାଗୁଥିବା ଛୋଟ ଛୋଟ ଗପ ଛାତ୍ରଛାତ୍ରୀ ମାନଂକୁ କୁହାଯିବା ଆବଶ୍ୟକ I ଛାତ୍ରଛାତ୍ରୀ ମାନେ ଏହି ଗପକୁ ନିଜସ୍ବ ଢଂଗରେ କହିବା ପାଇଁ ସୁଯୋଗ ଦିଆଯିବ I ଏହି ଗପଗୁଡିକୁ ବାରମ୍ବାର ଅଭ୍ୟାସକରିବା ଦ୍ବାରା କଥନ ଦକ୍ଷତାର ବିକାଶ ହୋଇଥାଏ ଏବଂ କଳ୍ପନା ଶକ୍ତି ଓ ସୃଜନଶୀଳତାର ମଧ୍ୟ ବିକାଶ ହୋଇଥାଏ I ଗପରୁ କଣ ଶିଖିଲ ? ବା "ମୁଁ ଯେପରି କହିଲି ସେହିପରି କୁହ" କହି ଛାତ୍ରଛାତ୍ରୀ ମାନଂକୁ ଭାରାକ୍ରାନ୍ତ କରାଯିବା ଉଚିତ ନୁହେଁ I ଛାତ୍ରଛାତ୍ରୀ ମାନେ ଜାଣିଥିବା ବା ଜାଣି ନଥିବା ଅଧା ଗପକୁ ପୁରା କରିବା ପାଇଁ ବା ଆଗକୁ କଣ ହୋଇପାରେ.... ବୋଲି କହି ଗଳ୍ପକୁ ପୂରା କରିବା ପାଇଁ  ଛାତ୍ରଛାତ୍ରୀ ମାନଂକୁ ସୁଯୋଗ ଦେବା ଆବଶ୍ୟକ I
  ୩. ଘଟଣା ବର୍ଣ୍ଣନା, ଅନୁଭୂତି ବର୍ଣ୍ଣନା - ଛାତ୍ରଛାତ୍ରୀ ମାନେ ଦେଖିଥିବା କୌଣସି ସ୍ଥାନ, ମେଳା, ଯାତ୍ରା, ପର୍ବ ପର୍ବାଣୀ, ନିଜ ପରିବେଶରେ ଦେଖିଥିବା କୌଣସି ଜିନିଷ, ବିଦ୍ୟାଳୟରେ ପାଳନ କରାଯାଉଥିବା ବିଭିନ୍ନ ଦିବସ, ଗଣେଶ ପୁଜା, ସରସ୍ବତୀ ପୁଜା, ନିଜ ପରିବାରର ସଦସ୍ୟ,ନିଜର ସାଂଗସାଥୀ, ବନ୍ଧୁ ବାନ୍ଧବ, ସେ କଣ ଖାଇଛି ? ତାହା କିପରି ତିଆରି ହୁଏ ? ସେ କିପରି ଛୁଟି କଟାଇଲେ ? ଇତ୍ୟାଦି ବିଷୟରେ କହିବା ପାଇଁ ସୁଯୋଗ ଦିଆଯିବା ଦରକାର I ଏହାକୁ ସେ ଆଗ୍ରହରେ ଓ ନିର୍ଭୟରେ କହିଥାଏ ଯାହାକି କଥନ ଦକ୍ଷତାର ବିକାଶରେ ସାହାଯ୍ୟ କରେ I
  ୪. ଯୋଡି କାର୍ଯ୍ୟ ଓ ଦଳଗତ କାର୍ଯ୍ୟ – ଯୋଡି କାର୍ଯ୍ୟ ଦ୍ବାରା ଛାତ୍ରଛାତ୍ରୀ ମାନଂକ କଥନ ଦକ୍ଷତାର ବିକାଶ ହୋଇଥାଏ I ମନେକର ଦୁଇଜଣ ପିଲା ଗୋଟିଏ ଗଳ୍ପ ଶୁଣିଲେ ବା ପଢିଲେ I ତାହା ପରେ ଜଣେ ସେହି ବିଷୟରୁ ପ୍ରଶ୍ନ ପଚାରିଲେ ଅନ୍ୟ ଜଣେ ତାର ଉତ୍ତର ଦେବ I ଫଳରେ ଦୁଇ ଜଣଂକ ଭିତରେ କଥାବାର୍ତ୍ତା ଠିକ୍ ରୂପେ ହୋଇ ପାରିବ I ଦଳଗତ କାର୍ଯ୍ୟରେ ବିଭିନ୍ନ TLM ଦେଖାଇବା ସମୟରେ, ପରୀକ୍ଷଣ ଓ ପର୍ଯ୍ୟବେକ୍ଷଣ ସମୟରେ, ବିଭିନ୍ନ ଆଲୋଚନାରେ ଭାଗ ନେବା ଦ୍ବାରା ଛାତ୍ରଛାତ୍ରୀ ମାନଂକ ମଧ୍ୟରେ କଥନ ଦକ୍ଷତାର ବିକାଶ ହୋଇଥାଏ I
୫. ସାରାଂଶ କଥନ – କୌଣସି ଗଳ୍ପ, ଗୀତ ବା ପାଠ୍ୟ ବିଷୟ ପ୍ରଭୃତି ଉପସ୍ଥାପନା ପରେ ଯଦି ଛାତ୍ରଛାତ୍ରୀ ମାନଂକୁ ସାରାଂଶ କହିବା ପାଇଁସୁଯୋଗ ଦିଆଯାଏ, ତେବେ ଛାତ୍ରଛାତ୍ରୀ ମାନଂକ କଥନ ଦକ୍ଷତାର ବିକାଶ ହୋଇଥାଏ I
୬. ତର୍କ ଓ କୁଇଜ୍ ପ୍ରତିଯୋଗୀତା – ଛାତ୍ରଛାତ୍ରୀ ମାନଂକର କଥନ ଦକ୍ଷତାର ବିକାଶ ପାଇଁ ଶ୍ରେଣୀରେ ନିୟମିତ ତର୍କ ଓ କୁଇଜ଼ ପ୍ରତିଯୋଗୀତା କରାଯିବା ଉଚିତ I ଫଳରେ ସେମାନେ ନିର୍ଭୟରେ ଓ ସଠିକ୍ ଭାବରେ କହିବା ପାଇଁ ସୁଯୋଗ ପାଇଥାନ୍ତି I
୭. ଅଭିନୟ – ଏଥିପାଇଁ କୌଣସି ପାଣ୍ଡୁଲିପି ଦିଆଯାଇ ନଥାଏ I ଶିକ୍ଷକ ବିଭିନ୍ନ ଚରିତ୍ର ସମ୍ବନ୍ଧରେ ଆବଶ୍ୟକୀୟ ସୁଚନା ଦେଇଥାନ୍ତି I ଛାତ୍ରଛାତ୍ରୀମାନେ ଅଭିନୟରେ ବିଭିନ୍ନ ଢଂଗରେ ସଂଳାପ ମାଧ୍ୟମରେ ତାଂକର ଚିନ୍ତାଧାରା ଓ ମନୋଭାବ ପ୍ରକାଶ କରିଥାନ୍ତି I କୌଣସି ବିଷୟବସ୍ତୁ ଶିକ୍ଷଣ ପରେ କିମ୍ବା ସ୍ବତନ୍ତ୍ର ବିଷୟ ଉପରେ ଏହା ବିଦ୍ୟାଳୟରେ କରାଯାଇ ଥାଏ I ଛାତ୍ରଛାତ୍ରୀ ମାନେ ଆଗ୍ରହରେ ଏଥିରେ ଅଂଶ ଗ୍ରହଣ କରି ଆନନ୍ଦ  ଲାଭ କରିଥାନ୍ତି I
୮. ଖେଳ ମାଧ୍ୟମରେ – ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳ ସମୟରେ ମଧ୍ୟ ନିଜସ୍ବ ମତାମତ ଦେଇ ଥାନ୍ତି I ମନେକର ଗୋଟିଏ ଖେଳ ହେଲା –“ତୁମେ କଣ ଦେଖିଲ ?” ଜଣେ ଛାତ୍ର ବା ଛାତ୍ରୀ ବାହାରକୁ ଯାଇ କିଛି ଜିନିଷ ଦେଖି ଆସିଲେ I ଅନ୍ୟ ପିଲାମାନେ ସେ ଜିନିଷକୁ ଜାଣିବା ପାଇଁ ବିଭିନ୍ନ ପ୍ରଶ୍ନ ପଚାରି ଥାନ୍ତି I ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟ ପରି ଏହା ଚାଲିଥାଏ I ଛାତ୍ରଛାତ୍ରୀମାନେ ଆନନ୍ଦର ସହିତ ଏଥିରେ ଅଂଶଗ୍ରହଣ କରିଥାନ୍ତି ଏବଂ ସେ ଦେଖିଥିବା ଜିନିଷ ବିଷୟରେ ପ୍ରଶ୍ନ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି I
୯. କଥାବାର୍ତ୍ତା ସମୟରେ – ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହରେ ହେଉ ବା ଶ୍ରେଣୀ ବାହାରେ ହେଉ ନିଜ ନିଜ ଭିତରେ ବିଭିନ୍ନ କଥା ହୋଇଥାନ୍ତି I ଏହି କଥା ହେବା ସମୟରେ ସେମାନେ ନିଜ ନିଜ ମଧ୍ୟରେ କଥାହେବାର କୌଶଳ ଶିଖିଥାନ୍ତି ଓ ଏହା ତାଂକର ଭାଷା ଜ୍ଞାନ ଓ ଶବ୍ଦ ଭଣ୍ଡାର ବୃଦ୍ଧିରେ ସହାୟତା କରିଥାଏ I ଏହି ସମୟରେ ତାଂକର କଥାବାର୍ତ୍ତାକୁ ଚାପି ନଦେଇ ଠିକ୍ ମାର୍ଗରେ ପରିଚାଳନା କଲେ ସେମାନେ ଉପକୃତ ହେବା ସଂଗେ ସଂଗେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ନିକଟତର ହୋଇ ଥାନ୍ତି I ଛାତ୍ରଛାତ୍ରୀ ମାନେ ଅନେକ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଂକୁ ବିଭିନ୍ନ ବିଷୟରେ ଜାଣିବା ପାଇଁ ବିଭିନ୍ନ ଅବାନ୍ତର ପ୍ରଶ୍ନ ମଧ୍ୟ ପଚାରିଥାନ୍ତି I ଏହି ସମୟରେ ଶିକ୍ଷକ ବିରକ୍ତ ନହୋଇ ଯଦି ସେ ଖୁସି ହେବା ଭଳି ସ୍ନେହ ଭରା ଉତ୍ତର ଦିଅନ୍ତି ତେବେ ଛାତ୍ରଛାତ୍ରୀ ମାନଂକ କଥନ ଦକ୍ଷତା ବୃଦ୍ଧିରେ ଏହା ସହାୟକ ହୋଇଥାଏ  ଶିକ୍ଷକ କଥାବାର୍ତ୍ତା ପାଇଁ ବିଭିନ୍ନ ପରିସ୍ଥିତି ସୃଷ୍ଟି କଲେ ଛାତ୍ରଛାତ୍ରୀ ମାନଂକ କଥନ ଦକ୍ଷତାର ବିକାଶ ହୋଇ ଥାଏ I

୩.ପଠନ ଦକ୍ଷତା
          ଲିଖିତ ଲିପି ଗୁଡ଼ିକର ଠିକ୍ ଉଚ୍ଚାରଣ କରିବା ଏବଂ ସେଥିରୁ ଅର୍ଥ ବାହାର କରିବାର ପ୍ରକ୍ରିୟାକୁ ପଠନ କୁହାଯାଏ I ଜ୍ଞାନ ଅର୍ଜନର ପ୍ରକୃଷ୍ଟ ମାର୍ଗ ହେଉଛି ପଠନ I ପଠନ ଦ୍ବାରା ବ୍ୟକ୍ତି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଆବଶ୍ୟକ ଜ୍ଞାନ ହାସଲ କରିଥାଏ I ହଜାର ହଜାର ବର୍ଷ ପୂର୍ବରୁ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ଚିନ୍ତାଶୀଳ ବ୍ୟକ୍ତି ମାନେ ତାଂକଦ୍ବାରା ଅର୍ଜିତ ଜ୍ଞାନକୁ ଆମ୍ଭମାନଂକ ନିମନ୍ତେ ଛାଡି ଯାଇଛନ୍ତି I ତାହାକୁ ଆମେ ଶ୍ରବଣ ଓ ପଠନ ଦ୍ବାରା ଲାଭ କରି ଜୀବନର ଉତ୍କର୍ଷତା ପ୍ରତିପାଦନ କରିପାରିବା I ପିଲାର ବିଦ୍ୟାଳୟ ଶିକ୍ଷା ଆରମ୍ଭ ହେଲା ପରେ ଶ୍ରବଣ ଅପେକ୍ଷା ପଠନର ଅଧିକ ଗୁରୁତ୍ବ ଅଛି I ବିଦ୍ୟାଳୟରେ ପଢୁଥିବା ପିଲାଟି ନିଜେ ପଢି ଓ ଶିଖି ଜ୍ଞାନ ଆହରଣ କରେ I ବହିର ପାଠକୁ ପଢ଼ି ତାକୁ ବୁଝି ତାହା ଉପରେ ଆଲୋଚନା କଲେ ଶିଶୁର ପଠନ ଦକ୍ଷତାର ବିକାଶ ହୋଇଥାଏ I ଏହି ଦକ୍ଷତା ତାକୁ ପରବର୍ତ୍ତୀ ସାଧାରଣ ଜୀବନରେ ସାହାଜ୍ୟ କରିଥାଏ I ସେ ନିଜର ଜ୍ଞାନକୁ ସଂଗଠିତ କରିବା ପାଇଁ ବିଭିନ୍ନ ବହି, ପତ୍ରପତ୍ରିକା, ସମ୍ବାଦପତ୍ର ଇତ୍ୟାଦି ପଠନ କରିଥାଏ ଏହା ତାହାର ଜ୍ଞାନକୁ ପରିବର୍ଦ୍ଧିତ ଓ ପରିମାର୍ଜିତ ହେବା ସଂଗେ ସଂଗେ ଅନ୍ତର୍ନିହିତ ଗୁଣାବଳୀକୁ ପରିସ୍ଫୁଟିତ କରି ଥାଏ I
    
    ପଢ଼ି ବୁଝିବା (Reading with understanding) ପାଇଁ କେତେକ ପରିସ୍ଥିତି ନିମ୍ନରେ ପ୍ରଦାନ କରାଗଲା :-
କ – ଅଜଣା ବିଷୟ ଅଜଣା ଭାଷାରେ ଲେଖା ହୋଇଥିଲେ ଆଦୌ ବୁଝି ହୁଏ ନାହିଁ I
ଖ – ଜଣା ବିଷୟ ଅଜଣା ଭାଷାରେ ଲେଖା ହୋଇଥିଲେ ଅଳ୍ପ କିଛି ବୁଝି ହୁଏ I
ଗ – ଅଜଣା ବିଷୟ ଜଣା ଭାଷାରେ ଲେଖା ହୋଇ ଥିଲେ ଟିକିଏ ଅଧିକ ବୁଝି ହୁଏ I
ଘ – ଜଣା ବିଷୟକୁ ଜଣା ଭାଷାରେ ଲେଖା ହୋଇଥିଲେ ବୁଝିବା ସହଜ ଓ ଆନନ୍ଦ ଦାୟକ ହୋଇଥାଏ I
    
ପଠନର ପ୍ରକାରଭେଦ:-
୧. ଉଚ୍ଚ ପଠନ ବା ସରବ ପଠନ – ଅନୁଚ୍ଛେଦ ପଠନ, କବିତା ଆବୃତ୍ତି, ସଂଳାପ ଇତ୍ୟାଦି I
୨. ନୀରବ ପଠନ – ପ୍ରବନ୍ଧ, ପ୍ରଶ୍ନୋତ୍ତର, ଖବର କାଗଜ, ପାଠାଗାରରେ ପଠନ ଇତ୍ୟାଦି I
୩. ଦ୍ରୁତ ପଠନ – ପଠନ ସାମର୍ଥ୍ୟ ବୃଦ୍ଧିପାଇଁ I ପାଠ୍ୟ ବିଷୟକୁ ଶୀଘ୍ର ସମାପ୍ତ ପାଇଁ I
୪. ଗଭୀର ପଠନ– ସରଳାର୍ଥ, ସାରାଂଶ, ସୂଚନାତ୍ମକ ଇତ୍ୟାଦି କଠିନ ଶବ୍ଦ ଓ ଭାବରାଜି ସୁବୋଧ୍ୟ ପାଇଁ I
୫. ସୁବୋଧ ଓ ଆନନ୍ଦ ଦାୟକ ପଠନ- ଅତିରିକ୍ତ ସାହିତ୍ୟ, ଉପନ୍ୟାସ,ଏକାଂକିକା, ଚରିତ୍ର ଚିତ୍ରଣ ଇତ୍ୟାଦିକୁ ଆନନ୍ଦ ପ୍ରାପ୍ତି ପାଇଁ  I
      କେତେକ ଶିକ୍ଷାବିତ୍ ପଠନକୁ ଦୁଇ ଭାଗରେ ବିଭକ୍ତ କରନ୍ତି ଯଥା-
୧. ତାତ୍ତ୍ବିକ ପଠନ – Intensive Reading.
୨. ବ୍ୟାପକ ପଠନ –Extensive Reading.
     ବୋଧଶକ୍ତିର ବିକାଶ ପାଇଁ କିମ୍ବା ପିଲା ମାନଂକ ଜ୍ଞାନର ଅଭିବୃଦ୍ଧି ପାଇଁ ଯେଉଁ ପଠନ କରାଯାଏ ତାହାକୁ ତାତ୍ତ୍ବିକ ପଠନ କୁହାଯାଏ I ପଠନ ପରେ ଯଦି ସେଥିରୁ ଅର୍ଥ ଗ୍ରହଣ ସମ୍ଭବ ହେବ ଓ ବିଷୟବସ୍ତୁ ସମ୍ପର୍କରେ ଧାରଣା କରିହେବ ତାହା ହେଲେ ତାକୁ ପ୍ରକୃତ ପଠନ କୁହାଯିବ I ଏହା ଦ୍ବାରା ଚିନ୍ତା ଶକ୍ତି,ତୁଳନା ଶକ୍ତି ଓ କଳ୍ପନା ଶକ୍ତି ପ୍ରଭୃତିର ବିକାଶ ହୋଇଥାଏ I ଏଥିରୁ ନୂତନ ଓ କ୍ଲିଷ୍ଟ ଶବ୍ଦ ସହ ପରିଚିତି, ଭାଷାଗତ କୌଶଳ ହାସଲ, ବ୍ୟାକରଣ ଜ୍ଞାନ ଯଥା- ବିଶେଷ୍ୟ, ବିଶେଷଣ, ବିପରୀତ ଅର୍ଥ ପ୍ରଭୃତିର ଜ୍ଞାନ ପ୍ରାପ୍ତ ହୋଇଥାଏ I
       ବ୍ୟାପକ ପଠନରେ ବ୍ୟକ୍ତି ନିଜର ଆଗ୍ରହ ଓ ରୁଚି ଅନୁଯାଇ ପୁସ୍ତକ ପଠନ କରି ଆନନ୍ଦ ପାଏ I ଉପନ୍ୟାସ, ଗଳ୍ପ, କବିତା, ନାଟକ, ଭ୍ରମଣ କାହାଣୀ ପରି ବିଭିନ୍ନ ପ୍ରକାରର ପୁସ୍ତକ ପଢ଼ି ବ୍ୟକ୍ତି ଆନନ୍ଦ ପ୍ରାପ୍ତ ହୁଏ I ଫଳରେ ପଠନ ସ୍ପୃହା ବୃଦ୍ଧି ହେବା  ସହିତ ସାହିତ୍ୟିକ ରୁଚିର ବିକାଶ ଘଟିଥାଏ I ଭାଷା ଜ୍ଞାନ ଓ ଭାଷାଗତ ଦକ୍ଷତା ବୃଦ୍ଧିରେ ଏହା ସହାୟକ ହୋଇଥାଏ I       

    ପ୍ରାଥମିକ ସ୍ତରରେ ପଠନ ପଦ୍ଧତି :-
୧ . ବର୍ଣ୍ଣାନୁକ୍ରମିକ ପଦ୍ଧତି – ବର୍ଣ୍ଣମାଳାର କ୍ରମ ଅନୁସାରେ ପଢ଼ିବା I
୨ . ଶବ୍ଦ କ୍ରମିକ ପଦ୍ଧତି – ଗୋଟିଏ ଗୋଟିଏ ସରଳ ଶବ୍ଦ ଦେଇ ତାକୁ ଦେଖି ଦେଖି ପଢ଼ିବା ଓ ସେଥିରୁ ଅକ୍ଷର ଚିନ୍ହିତ କରିବା I
୩ . ଛବି ପ୍ରଣାଳୀ – ଚିତ୍ର ପାଖରେ ଶବ୍ଦ ଦିଆ ଯାଇଥାଏ I ଚିତ୍ରରୁ ଶବ୍ଦ ଓ ଶବ୍ଦରୁ ଅକ୍ଷର ଚିହ୍ନିବା I
୪ . ବାକ୍ୟ ପଠନ ପ୍ରଣାଳୀ – ପ୍ରଥମେ ଛୋଟ ବାକ୍ୟ ଯଥା- କଟକ ନଗର , ଧବଳ ଚଦର ଇତ୍ୟାଦି ଧୀରେ ଧୀରେ ବଡ଼ ବାକ୍ୟ ଦିଆଯାଏ I
୫ . ଗଳ୍ପ ପଠନ ପ୍ରଣାଳୀ – ଛୋଟ ଛୋଟ ଆନନ୍ଦ ଦାୟକ ଗପ ଦେଇ ପଠନ ଅଭ୍ୟାସ କରିବା ଯଥା:- ହସ ଖେଳ ବହି I

     ପଠନ କ୍ରିୟାରେ ଅନଗ୍ରସରର କାରଣ :-
୧ . ଶ୍ରବଣ, ଦର୍ଶନ ଓ କଣ୍ଠ ଯନ୍ତ୍ରର ବୈକଲ୍ୟ
୨ . ବୁଦ୍ଧି ହୀନତା
୩ . ଭାଷା ଜ୍ଞାନର ଅଭାବ
୪ . ଆଗ୍ରହ ଓ ମନଯୋଗର ଅଭାବ
୫ . ଶାରୀରିକ ସ୍ବାସ୍ଥ୍ୟ
୬ .ମାନସିକ ଅବସ୍ଥା
    ପଠନ ଦକ୍ଷତାର ବିକାଶ ପାଇଁ କାର୍ଯ୍ୟ :-
- ଚିତ୍ର ପଠନ
- ଶବ୍ଦ ପଠନ
- ବାକ୍ୟ ପଠନ
- ଅନୁଚ୍ଛେଦ ପଠନ
- ଗଳ୍ପ ପଠନ
- କବିତା ପଠନ / ଆବୃତ୍ତି
- ସରଳାର୍ଥ ପଠନ
- ପ୍ରଶ୍ନୋତ୍ତର
- ଖବର କାଗଜ ପଠନ
- ଅସଜଡା ଶବ୍ଦକୁ ନେଇ ବାକ୍ୟ ଗଠନ
- ଖଣ୍ଡବାକ୍ୟ ପୂରଣ
- ସ୍ତମ୍ଭ ମିଳନ
- ଶବ୍ଦ ଖୋଜିବା (ଅନୁଚ୍ଛେଦରୁ )
- ଅଭିଧାନରୁ ଶବ୍ଦାର୍ଥ ଖୋଜିବା ଇତ୍ୟାଦି
ପଠନ ସମୟରେ ସମସ୍ୟା:-
- ଅକ୍ଷର ଚିହ୍ନଟ
- ମାତ୍ରା, ଫଳା, ଯୁକ୍ତାକ୍ଷର ଚିହ୍ନିବା
- ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ
- ଖନେଇ ଖନେଇ ପଢ଼ିବା
- ସ୍ବରର ଉତ୍ଥାନ ପତନ
- ବିରାମ ଚିହ୍ନ
- ଶୁଦ୍ଧ ଓ ସ୍ପଷ୍ଟ ଉଚ୍ଚାରଣ
- ଅକ୍ଷର, ଶବ୍ଦ ଛାଡ଼ି ଛାଡ଼ି ପଢ଼ିବା
- ଧାଡି ଛାଡିଦେବା
- ଆଂଗୁଠି ଦେଇ ପଢ଼ିବା
- ସମାନ ଆକୃତି ବିଶିଷ୍ଟ ଅକ୍ଷରକୁ ଚିହ୍ନି ନପାରିବା ଇତ୍ୟାଦି I


୪.ଲିଖନ ଦକ୍ଷତା
         ମନର ଭାବକୁ ସାଂକେତିକ ଚିହ୍ନ / ଅକ୍ଷର ଦ୍ବାରା ଅର୍ଥପୂର୍ଣ୍ଣ ଭାବେ ପ୍ରକାଶ କରିବାକୁ ଆମେ ଲିଖନ ବୋଲି କହିଥାଉ I ଲିଖନ ଦ୍ବାରା ଆମେ ଆମର ମନର ଭାବନାକୁ ଓ ବିଭିନ୍ନ ତଥ୍ୟକୁ ସଂରକ୍ଷଣ କରି ରଖିଥାଉ I ବିଶିଷ୍ଟ ଶିକ୍ଷାବିତ୍ କ୍ରିଷ୍ଣ କୁମାରଂକ ମତରେ “ଲେଖିବା ହେଉଛି କଥା ହେବାର ଏକ ବର୍ଦ୍ଧିତ ରୂପ I ଆଉ ଜଣଂକୁ ସମ୍ବୋଧନ କରିବାର ଏକ କଳା I ନିଜେ ଲେଖିବା ବେଳେ ନିଜ ସହିତ କଥା ହେବା ପରି ଲାଗିଥାଏ I” ଚାରିଟି ମୌଳିକ ଦକ୍ଷତା ଭିତରୁ 'ଲିଖନ' ଅଧିକ ଜଟିଳ I ଏହି 'ଲିଖନ' ପାଇଁ ଏକାଗ୍ରତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି, ଓ ମାଂସପେଶୀର ଉପଯୁକ୍ତ ଚାଳନାର ଆବଶ୍ୟକତା ରହିଛି I

  ଲିଖନ ଦକ୍ଷତାର ବିକାଶ ପାଇଁ ପଦ୍ଧତି:-
୧. ପ୍ରାକ୍ ଲିଖନ – ଅକ୍ଷର ଲିଖନ ପାଇଁ ଅଂଗୁଳି ଓ ହସ୍ତର ସୂକ୍ଷ୍ମ ମାଂସପେଶୀର ବିକାଶ ଆବଶ୍ୟକ I ତେଣୁ ପ୍ରାରମ୍ଭିକ ଶ୍ରେଣୀ ପାଇଁ ଆମେ ପ୍ରାକ୍ ଲିଖନ କାର୍ଯ୍ୟ କରିବା ଉଚିତ୍ I ପିଲାମାନଂକ ଦ୍ବାରା ସରଳ ରେଖା, ବକ୍ର ରେଖା, ବୃତ୍ତ, ଅର୍ଦ୍ଧ ବୃତ୍ତ ଇତ୍ୟାଦି ଅଂକନ କରିବାର ଅଭ୍ୟାସ କରାଇବା ଉଚିତ୍ ଯଥା-
ଇତ୍ୟାଦି
୨. ଅକ୍ଷର ଲିଖନ ପଦ୍ଧତି – କ୍ରମ ଅନୁସାରେ ଅକ୍ଷର ଦେଖି ଦେଖି ଲେଖିବେ I ଅକ୍ଷର ଉପରେ ମଡାଇବେ I
୩. ଶବ୍ଦ ଲିଖନ ପଦ୍ଧତି – ସରଳ ଶବ୍ଦକୁ ଦେଖି ଦେଖି ଲେଖିବେ I
୪. ହସ୍ତାକ୍ଷର ଲିଖନ ପଦ୍ଧତି – ଗାର ପକା ଖାତାରେ ଉପର ଧାଡ଼ିର ଲେଖାକୁ ଦେଖି ତଳ ଧାଡ଼ିରେ ଲେଖନ୍ତି ତାପରେ ବହିର ବାକ୍ୟ ମାନଂକୁ ଲେଖନ୍ତି I ଏହା ଅକ୍ଷର ସୁନ୍ଦର ହେବାରେ ସାହାଜ୍ୟ କରିଥାଏ I
ଉତ୍ତମ ହସ୍ତାକ୍ଷର ଲେଖିବାର ନିୟମ :-
 ·  ଅକ୍ଷର ଗୁଡ଼ିକୁ ନିର୍ଭୁଲ କରି  ଲେଖିବା I
·  ଅକ୍ଷର ଆକାର ଯଥା ସମ୍ଭବ ସମାନ ରଖିବା I
· ଶବ୍ଦ ଶବ୍ଦ ମଧ୍ୟରେ ଉଚିତ୍ ବ୍ୟବଧାନ ରଖିବା I
· ବାକ୍ୟରେ ଠିକ୍ ସ୍ଥାନରେ ବିରାମ ଚିହ୍ନ ଦେବା I
· ଧାଡ଼ି ଧାଡ଼ି ମଧ୍ୟରେ ଠିକ୍ ବ୍ୟବଧାନ ରଖିବା I
· ଧାଡ଼ି ଗୁଡ଼ିକ ସିଧା ରଖିବା I
·  ସୁନ୍ଦର ଓ ଗୋଲ ଅକ୍ଷର ଲେଖିବା I
·  ସିଧା ହୋଇ ବସି ଲେଖିବା I
· ଖାତା ଓ କଲମକୁ ଠିକ୍ ଭାବରେ ଧରି ଲେଖିବା  ଇତ୍ୟାଦି I

ଲିଖନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ :-

ଲେଖିବା  ପାଇଁ ପିଲାଂକୁ ଉତ୍ସାହିତ କରିବା I
 ପିଲାଂକ ମନରେ ଥିବା ଭୟ ଦୂର କରିବା I
 ଉପଯୁକ୍ତ ବିଷୟ ବାଛିବା I
 ପ୍ରସଂଗ ଅନୁସାରେ ପିଲାଂକୁ ତଥ୍ୟ ଯୋଗାଇ ଦେବା I
 ଆଗ୍ରହର ସହିତ ତ୍ରୁଟିସଂଶୋଧନ କରିବା I
 ଶୁଦ୍ଧ ଲେଖା ଉପରେ ଗୁରୁତ୍ବ ଦେବା I
 ପିଲାମାନଂକୁ ମୁକ୍ତ ଭାବରେ ଲେଖିବା ପାଇଁ ସୁଯୋଗ ଦେବା I
ଅଭିଧାନ ବ୍ୟବହାର କୌଶଳ ଶିଖାଇବା ଇତ୍ୟାଦି I

ଲିଖନ ଦକ୍ଷତା ବୃଦ୍ଧି ପାଇଁ ବିଦ୍ୟାଳୟରେ କରାଯାଉଥିବା କାର୍ଯ୍ୟ:-
·        ହସ୍ତାକ୍ଷର ଲିଖନ
·        ଶ୍ରୁତ ଲିଖନ
·        ଦୃଷ୍ଟ ଲିଖନ
·        ପ୍ରଶ୍ନୋତ୍ତର ଲିଖନ
·        ସୃଜନାତ୍ମକ ଲିଖନ
·        ଚିତ୍ର ଦେଖି ଲେଖିବା
·        ଘଟଣାବଳୀ ବର୍ଣ୍ଣନ
·        ଅନୁଭୂତିକୁ ଲେଖିବା
·        ଗଳ୍ପ ଲିଖନ
·        ଗଳ୍ପକୁ ଆଗକୁ ବଢାଇବା
·        ଦୃଶ୍ୟ ବର୍ଣ୍ଣନା
·        ତାଲିକା ପ୍ରସ୍ତୁତି
·        ସାରାଂଶ ଲିଖନ
·        ସରଳାର୍ଥ ଲିଖନ
·        ବାକ୍ୟ ଗଠନ ଇତ୍ୟାଦି I

ଲିଖନ ସମସ୍ୟା:-
    Ø   ଅସ୍ପଷ୍ଟ ଲେଖା
Ø ଶବ୍ଦ ଭୂଲ ଲେଖିବା
Ø ଅକ୍ଷର ଗୋଲ ନକରିବା
Ø ଧାଡ଼ି ବଂକା କରିବା
Ø ବନାନ ଭୂଲ କରିବା
Ø ଅକ୍ଷର ସାନ  ବଡ଼ କରିବା
Ø ଅକ୍ଷର ଉପରେ ଅକ୍ଷର ଲେଖିବା
Ø ଅକ୍ଷର ଉପରେ ବାରମ୍ବାର ମଡାଇବା
Ø ଯୁକ୍ତାକ୍ଷରକୁ ଠିକ୍ ଭାବେ ନଲେଖିବା
Ø ଅକ୍ଷର ଅକ୍ଷର ମଧ୍ୟରେ ବ୍ୟବଧାନ
Ø ଶବ୍ଦ ଶବ୍ଦ ମଧ୍ୟରେ ବ୍ୟବଧାନ
Ø ଧାଡ଼ି ଧାଡ଼ି ମଧ୍ୟରେ ବ୍ୟବଧାନ
Ø ବିରାମ ଚିହ୍ନ ଠିକ୍ ନଦେବା
Ø ଲିଖନ ଶୈଳୀରେ ତ୍ରୁଟି
Ø ବ୍ୟାକରଣଗତ ତ୍ରୁଟି
Ø ମାତ୍ରା ଓ ଫଳାର ବ୍ୟବହାର 
Ø ଅପରିଷ୍କାର / କଟାକଟି ଇତ୍ୟାଦି 

୫. ଧାରଣାର ବୋଧଗମ୍ୟତା
          ଶ୍ରବଣ, କଥନ, ପଠନ ଓ ଲିଖନ ସହିତ ଧାରଣାର ବୋଧଗମ୍ୟତାର ଆବଶ୍ୟକତା ରହିଛି I ବୁଝିବା ଏକ ଗୁରୁତ୍ବପୂର୍ଣ୍ଣ ଦକ୍ଷତା I  ଶିଶୁର  ଉପରୋକ୍ତ ଚାରୋଟି ଦକ୍ଷତାର ପ୍ରୟୋଗ ବେଳେ ଯଦି ବୋଧଗମ୍ୟତା ନଥାଏ, ତେବେ ସେଗୁଡ଼ିକ ନିରର୍ଥକ ହୋଇଥାଏ I
ଧାରଣାର ବୋଧଗମ୍ୟତାର ବିକାଶ ପାଇଁ କେତେକ କାର୍ଯ୍ୟ:-
·        ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା I
·        ସରଳ ପ୍ରଶ୍ନ ପଚାରି ପିଲାଂକଠାରୁ ଉତ୍ତର ଆଦାୟ କରିବା I
·        ସରଳ ପ୍ରଶ୍ନ ତିଆରି କରିବା I
·        ଶୁଣିଥିବା ଗପକୁ କହିବା ପାଇଁ କହିବା I
·        ଶବ୍ଦ ମଧ୍ୟରେ ଏପଟ ସେପଟ ହୋଇଥିବା ଅକ୍ଷରକୁ ସଜାଡ଼ିବା I
·        ଅଧା ଗପକୁ ଆଗେଇ ନେବା ପାଇଁ କହିବା I
·        ଚିତ୍ର ଦେଖି ଗପ କହିବା ପାଇଁ କହିବା ଇତ୍ୟାଦି I

୬. ବ୍ୟାବହାରିକ ବ୍ୟାକରଣ
          ବ୍ୟାକରଣ ଦ୍ବାରା ଭାଷାରେ ଶୁଦ୍ଧତା ଆସିଥାଏ I  ଏହା ଭାଷା ଜ୍ଞାନକୁ ସରସ, ସୁନ୍ଦର ଓ ଆକର୍ଷଣୀୟ କରି ଗଢ଼ିତୋଳି ଥାଏ I ବ୍ୟାକରଣ ନିୟମ ଜାଣି ତାକୁ ପ୍ରୟୋଗ କରିବା ହେଉଛି ବ୍ୟାବହାରିକ ବ୍ୟାକରଣ ଗତ ଦକ୍ଷତା I ଶବ୍ଦ ଓ ଅର୍ଥ ମଧ୍ୟରେ ଥିବା ସମ୍ବନ୍ଧ ଓ ପାର୍ଥକ୍ୟ ଜାଣିବା, ବାକ୍ୟ ଗଠନର ନିୟମ ଜାଣିବା ଇତ୍ୟାଦି ଏହି ଦକ୍ଷତାର ବିକାଶ ପାଇଁ ସାହାଯ୍ୟ କରିଥାଏ ବାରମ୍ବାର ଅଭ୍ୟାସ ଦ୍ବାରା ଛାତ୍ରଛାତ୍ରୀଙ୍କ  ମଧ୍ୟରେ ଏହି ଦକ୍ଷତାର ବିକାଶ ହୋଇଥାଏ ଫଳରେ ଛାତ୍ରଛାତ୍ରୀମାନେ ସଠିକ୍ ଭାବରେ ଭାଷାର ବ୍ୟବହାର / ଉପସ୍ଥାପନା କରି ପାରିଥାନ୍ତି I

୭. ସ୍ବ-ଶିକ୍ଷଣ ଦକ୍ଷତାର ବିକାଶ
          ସ୍ବ-ଶିକ୍ଷଣ ଦକ୍ଷତାର ବିକାଶ ହେଲେ ଛାତ୍ରଛାତ୍ରୀ ମାନେ ପାଠକୁ ବୁଝି ନିଜେ ନିଜେ ପ୍ରୟୋଗ କରି ଆତ୍ମନିର୍ଭରଶୀଳ ହୋଇଥାନ୍ତି I ଏହାଦ୍ବାରା ସବୁ ସମୟରେ ସେମାନେ ଶିକ୍ଷକଙ୍କ ଉପରେ ନିର୍ଭର କରି ନଥାନ୍ତି ଫଳରେ ସେମାନଙ୍କ ପ୍ରଚେଷ୍ଟାରେ ଜ୍ଞାନର ପରିସୀମା ବୃଦ୍ଧିପ୍ରାପ୍ତ ହୋଇଥାଏ I
ସ୍ବ-ଶିକ୍ଷଣ ପାଇଁ କେତେକ କାର୍ଯ୍ୟ:-
·        ଛାତ୍ରଛାତ୍ରୀଙ୍କ ଦ୍ବାରା ଅଭିଧାନର ବ୍ୟବହାର I
·        ପତ୍ରପତ୍ରିକା, ବିଭିନ୍ନ ପୁସ୍ତକ ଓ ସମ୍ବାଦପତ୍ରର ପଠନ ପାଇଁ ଉତ୍ସାହ I
·        ବକ୍ତୃତା ଓ ତର୍କ ପ୍ରତିଯୋଗୀତାର ଆୟୋଜନ ଇତ୍ୟାଦି I

୮. ଭାଷାର ବ୍ୟବହାର ସମ୍ପର୍କରେ ସାମର୍ଥ୍ୟ ପ୍ରଦାନ
          ଭାଷାର ବ୍ୟାବହାରିକ ଜ୍ଞାନ ନଥିଲେ ଭାଷା ଶିକ୍ଷାର କୌଣସି ମୂଲ୍ୟ ବ୍ୟକ୍ତି ପାଇପାରି ନଥାଏ I
ଠିକ୍ ସମୟରେ ଠିକ୍ ଭାବରେ ଭାଷାର ବ୍ୟବହାର ହେବା ଆବଶ୍ୟକ I ଉଭୟ ଔପଚାରିକ ଓ ଅନୌପଚାରିକ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ କିପରି ଭାଷାକୁ ସଠିକ୍ ଭାବରେ ବ୍ୟବହାର କରିବେ ତାହା ଏହି ଦକ୍ଷତାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ଉଭୟ କଥନ ଓ ଲିଖନ ସମୟରେ ଶିକ୍ଷକ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ I

୯. ଶବ୍ଦ ଭଣ୍ଡାର ବୃଦ୍ଧି
          ଯେଉଁ ପିଲା ଯେତେ ଅଧିକ ଶବ୍ଦ ଜାଣିଥାଏ ତାହାର ଭାଷା ଜ୍ଞାନ ସେତେ ଅଧିକ ଏବଂ ସେ ସେତେ ସଠିକ୍ ଭାବରେ ଭାଷାକୁ ବ୍ୟବହାର କରିଥାଏ I ଗୋଟିଏ ଭାଷାର ଗାମ୍ଭୀର୍ଯ୍ୟ, ବିସ୍ତୃତି, ଗଭୀରତା ଓ ଚାତୁରୀ ଶବ୍ଦ ଭଣ୍ଡାର ଉପରେ ନିର୍ଭର କରିଥାଏ I ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବ୍ୟକ୍ତି ନିଜର ଶବ୍ଦ ଭଣ୍ଡାରର ଅଭିବୃଦ୍ଧି କରିଥାଏ କିନ୍ତୁ ବିଦ୍ୟାଳୟରେ ଏହା ବେଶି ପରିମାଣରେ ସମୃଦ୍ଧ ହୋଇଥାଏ I ତେଣୁ ଶିକ୍ଷକ ସବୁବେଳେ ଏଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ I
          ଏଠାରେ (ଉପରୋକ୍ତ) ଭାଷାର ନଅଗୋଟି ଦକ୍ଷତା ସମ୍ବନ୍ଧରେ ଆଲୋଚନା କରାଗଲା I ଏଗୁଡ଼ିକ ବ୍ୟତୀତ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ଆଉ ଛଅଗୋଟି ଉଦ୍ଦେଶ୍ୟ ରହିଛି I ସେଗୁଡ଼ିକ ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି I

୧୦. ନିଜ ଦେଶର ଐତିହ୍ୟ ଓ ସଂସ୍କୃତି ସହ ପରିଚୟ
       ମାତୃଭାଷା ନିଜ ଦେଶର ଗୌରବମୟ ପରମ୍ପରା , ସଂସ୍କୃତି ଓ  ଐତିହ୍ୟର ବାର୍ତ୍ତା ବହନ କରିଥାଏ I ଯେଉଁ ଗୁଡ଼ିକକି ସାହିତ୍ୟିକଙ୍କ କୃତିରେ ପ୍ରତିଫଳିତ ହୋଇଥାଏ  I ଛାତ୍ରଛାତ୍ରୀମାନେ ଏହାକୁ ପଠନ କରି ନିଜର ସଂସ୍କୃତି, ଐତିହ୍ୟ ଓ  ପରମ୍ପରା ବିଷୟରେ ଅବଗତ ହୁଅନ୍ତି I

୧୧. ମାନବିକ ଗୁଣାବଳୀ ଓ ମୁଲ୍ୟବୋଧର ବିକାଶ
          ଉତ୍ତମ ଆଚରଣ ତଥା ମାନବିକ ମୁଲ୍ୟବୋଧର ଦୃଢିକରଣ ପାଇଁ ଭାଷା ସାହିତ୍ୟ ସର୍ବଦା ଦିଗ୍ଦର୍ଶନ ଦେଇଥାଏ I ଏହାକୁ ପଠନ କରି ଛାତ୍ରଛାତ୍ରୀ ସତ୍ୟ, ଶାନ୍ତି, ଦୟା, କ୍ଷମା, ଭକ୍ତି, ନିଷ୍ଠା, ନମ୍ରତା, ବିସ୍ବସ୍ତତା, ତ୍ୟାଗ, ସ୍ବଛତା, ସମୟାନୁବର୍ତ୍ତିତା, ସାହାଜ୍ୟ ମନୋଭାବ, ଭାଗିଦାରୀତା, ସମ୍ମାନ ବୋଧ ପ୍ରଭୃତି ମାନବିକ ଗୁଣାବଳୀ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପାଇଥାନ୍ତି I

୧୨. ଦେଶ ପାଇଁ ଉତ୍ତମ ନାଗରିକ ଗଠନ
          ଭାରତ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର I ଗଣତାନ୍ତ୍ରିକ ନୀତି ଓ ଆଦର୍ଶରେ ଆମ୍ଭେମାନେ ପରିଚାଳିତ ହେବା ଉଚିତ୍ I ନ୍ୟାୟ,ସମାନତା, ସ୍ବାଧିନତା ଓ ଭାତୃତ୍ବ ଭାବ ଏହାର ଚାରୋଟି ମୁଖ୍ୟ ସ୍ତମ୍ଭ I ଛାତ୍ରଛାତ୍ରୀ ମାନେ ସାହିତ୍ୟରୁ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ପାଇଁ ଶିକ୍ଷା ପାଇଥାନ୍ତି ଫଳରେ ଶିକ୍ଷିତ, ଭଦ୍ର, ମାର୍ଜିତ ଓ ସୁଗୁଣ ସମ୍ପନ୍ନ ନାଗରିକ ଭାବରେ ନିଜକୁ ଗଢି ତୋଳିଥାନ୍ତି I

୧୩. ଜାତୀୟ ସଂହତି ଭାବନା ଓ ଅନ୍ତର୍ଜାତିକ ସଦ୍ଭାବନାର ବିକାଶ
          “ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା  ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମାଂ କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ I”- ମହା ଭାରତୀୟ ଚେତନାର ଏହା ଏକ ନିଦର୍ଶନ I ଆମ ଦେଶରେ ଭାଷା, ଖାଦ୍ୟ, ବସ୍ତ୍ର, ଧର୍ମ, ସଂସ୍କୃତି, ପର୍ବ ପର୍ବାଣୀ, ଚାଲିଚଳନ, ଆଚାର ବ୍ୟବହାର, ଆଂଚଳିକତା ଆଦିରେ ଭିନ୍ନତା ଥିଲେ ମଧ୍ୟ ବିଭିନ୍ନତା ମଧ୍ୟରେ ଏକତା ହିଁ ଆମର ଆଦର୍ଶ I ଆମେ ସମସ୍ତେ ଭାରତ ମାତାର ସନ୍ତାନ I
          କେବଳ ଭାରତ ନୁହେଁ ପୃଥିବୀର ସମସ୍ତ ଜାତୀକୁ ଆମେ ଆମର ପରିବାର ଭଳି ମନେ କରିଥାଉ I ”ବସୁଧୈବ କୁଟୁମ୍ବକମ୍” ମଧ୍ୟ ଆମର ମନ୍ତ୍ର I ଛାତ୍ରଛାତ୍ରୀ ମାନେ ସାହିତ୍ୟରୁ ଏହି ଭାବଧାରାକୁ ପ୍ରାପ୍ତ ହୋଇଥାନ୍ତି I

୧୪. ଶିକ୍ଷାର୍ଥୀ ମାନଂକ କଳାବୋଧ ଓ ସୌନ୍ଦର୍ଯ୍ୟ ଚେତନାର ବିକାଶ
          ମାତୃଭାଷା ହିଁ କଳା ଓ ସୌନ୍ଦର୍ଯ୍ୟର ଗନ୍ତାଘର I ସାହିତ୍ୟରେ ଲେଖକ ଓ କବିଙ୍କ ଭାବନା ଓ ସୃଜନାତ୍ମକ ଚିନ୍ତା କଳାତ୍ମକ ଭାବରେ ପ୍ରତିଫଳିତ ହୋଇଥାଏ I ଏହାକୁ ପଠନ କରି ଛାତ୍ରଛାତ୍ରୀ ମାନେ କଳା ବୋଧ ଓ ସୌନ୍ଦର୍ଯ୍ୟ ବୋଧ ପ୍ରତି ଆକୃଷ୍ଟ ହୋଇଥାନ୍ତି I ତେଣୁ ସାହିତ୍ୟ ଆଲୋଚନା ସମୟରେ ଶିକ୍ଷକ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ I

୧୫. ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ
          ସୃଜନଶୀଳତା ନୂତନତ୍ତ୍ବକୁ ରୂପ ଦେଇଥାଏ I ଏହା ଶିଶୁର ଏକ ଅନ୍ତର୍ନିହିତ ଗୁଣ I ସୁଭିଧା ସୁଯୋଗ ପାଇଲେ ଏକ କ୍ଷୁଦ୍ର ଭ୍ରୁଣ ଯେପରି ବିରାଟ ବୃକ୍ଷରେ ପରିଣତ ହୋଇଥାଏ ସେହିପରି ସୁବିଧା ସୁଯୋଗ ଯୋଗାଇ ଦେଲେ ଛାତ୍ରଛାତ୍ରୀ ମାନଂକର ସୃଜନଶୀଳତାର ବିକାଶଘଟି ସେମାନେ  ନିଜକୁ ସମାଜରେ ପ୍ରତିଷ୍ଠିତ କରିଥାନ୍ତି I